ବିକ୍ରି ହେଉନି ହସ୍ତକଳା, ଚିନ୍ତାରେ ପରିବାର

ବେଗୁନିଆ,୨୬।୧୦(ଡି.ଏନ୍‌.ଏ.): ଏବେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ହସ୍ତକଳା କାରିଗର। ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଓ କରୋନା ମହାମାରୀ ଛଡ଼ାଇ ନେଇଛି ସେମାନଙ୍କର କୁଳବେଉସା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଅନୁସୂଚିତ ଜାତି ପରିବାରଙ୍କ କ୍ଷେତ୍ରରେ ଦେଖିବାକୁ ମଳିଛି। ଏହି ବ୍ଲକର ଗୋବିନ୍ଦପୁର, ସିକୋ, ହଜ, ବେଗୁନିଆ, କୋହ୍ଲୁଆପାଟଣା ଆଦି ଗ୍ରାମରେ ଅନୁସୂଚିତ ଜାତି ପରିବାର ରହିଛନ୍ତି। ସେମାନେ ବାଉଁଶ ପାତିଆରେ ରଙ୍ଗବେରଙ୍ଗର କୁଲେଇ, ବାଇଁଶିଆ, ଟୋକେଇ, ଖଜୁରି ଗଛର ପତ୍ରରେ ଝାଡୁ, ତାଳପତ୍ରରେ ଆସନ, ଟୋପି, ବିଞ୍ଚଣା, ଡାଲା ଆଦି ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ କରୋନା କଟକଣା ଯୋଗୁ ପ୍ରାୟ ୨ବର୍ଷ ହେବ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପଡ଼ିଆରେ ମେଳା କିମ୍ବା ବିଭିନ୍ନ ପର୍ବପବାଣି ପାଳନ ହେଉ ନ ଥିବାରୁ ବେପାର ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିସହ ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଯୋଗୁ ଆଗଭଳି ଆଉ ବେପାର ହେଉନାହିଁ। ବହୁ ସାମଗ୍ରୀ ବିକ୍ରି ନ ହୋଇ ପଡିରହିବା ଫଳରେ ନଷ୍ଟ ହେବାକୁ ବସିଲାଣି। ଏବେ ସେମାନଙ୍କୁ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି। ସାମଗ୍ରୀ ବିକ୍ରି ନ ହେବାରୁ କେତେଜଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳ ଆଉ କେତେଜଣ ଅନ୍ୟ ଜୀବିକାକୁ ଆପଣାଉଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

 

ଦୈନିକ ବିଭିନ୍ନ ଗ୍ରାମରେ ହାତ ତିଆରି ସାମଗ୍ରୀ ବୁଲି ବିକ୍ରି କରିଥାଏ। ତେବେ ୧୦ବର୍ଷ ପୂର୍ବରୁ ଯେଉଁଭଳି ଭାବେ ବିକ୍ରି ହେଉଥିଲା ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଯୋଗୁ ଏହି ସାମଗ୍ରୀର ବ୍ୟବସାୟ କମିଯାଇଛି। ଏହି ବେପାର ଛାଡି ଅନ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଛି।
-ଦିଲୀପ ନାୟକ,
ବ୍ୟବସାୟୀ, ଗୋବିନ୍ଦପୁର
ଲକ୍ଷାଧିକ ଟଙ୍କାର ହାତ ତିଆରି ସାମଗ୍ରୀ ଧରି ଆଞ୍ଚଳିକ ଯାତ୍ରା ପଡିଆରେ ବିକ୍ରି କରିଥାଉ। କରୋନା ମହାମାରୀ ଯୋଗୁ ପ୍ରଶାସନ ପକ୍ଷରୁ ପ୍ରାୟ ୨ବର୍ଷ ହେବ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ହାତ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି ନ ହୋଇ ନଷ୍ଟ ହେବାକୁ ବସିଛି।
-ସନାତନ ନାୟକ, ବ୍ୟବସାୟୀ, ସିକୋ
ବାଉଁଶ ଦିନକୁ ଦିନ ଲୋପ ପାଇବା ସହ ଦରଦାମ ବଢ଼ିି ଚାଲିଛି। ଗୋଟିଏ ସାମଗ୍ରୀ ତିଆରି କରିବା ପାଇଁ ଯେତିକି ସମୟ ଓ କଞ୍ଚାମାଲର ଆବଶ୍ୟକତା ପଡୁଛି, ସେହି ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏପଟେ କରୋନା ଯୋଗୁ ବେପାର ଏକପ୍ରକାର ଠପ୍‌ ହୋଇଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
-ସୁଷମା ନାୟକ, ବ୍ୟବସାୟୀ, କୋହ୍ଲୁଆପାଟଣା