ଭତ୍ତା ପାଇଁ ହଇରାଣ ଦିବ୍ୟାଙ୍ଗ

ବଳଙ୍ଗା,୫।୫(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ୧ ନଂ. ୱାର୍ଡର ଭୋଗପାଟେଳି ଗ୍ରାମର ନାରାୟଣ ସ୍ବାଇଁ (୮୨)ଙ୍କ ଗୋଡ଼ ଛୋଟା। ସେହି ଛୋଟା ଗୋଡ଼ରେ ସେ ଭତ୍ତା ପାଇଁ ୨ କି.ମି. ରାସ୍ତା ଅତିକ୍ରମ କରି ପଞ୍ଚାୟତରେ ପହଞ୍ଚିଥିଲେ। ଭତ୍ତା ଟଙ୍କା ତାଙ୍କୁ ବ୍ୟାଙ୍କରେ ମିଳିବ ବୋଲି ଜାଣିବା ପରେ ସେ ପୁଣି ସେଠାରୁ ବଳଙ୍ଗା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କଟି ଦୁଇ ମହଲା ଉପରେ ଥିବାରୁ ତାଙ୍କୁ ଶିଡ଼ି ଚଢିବାକୁ ୨ ଘଣ୍ଟା ସମୟ ଲାଗିଥିଲା। ଏପରି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପଟେ ସମସ୍ତଙ୍କର ଭତ୍ତା ଟଙ୍କା ବ୍ୟାଙ୍କରେ ମିଳିବ ବୋଲି ବ୍ଲକରୁ ଅର୍ଡର ଆସିଥିବା ପିଇଓ କହିଛନ୍ତି। ହେଲେ ଦିବ୍ୟାଙ୍ଗଙ୍କ ଭତ୍ତା ଟଙ୍କା ତାଙ୍କ ଘରେ ମିଳିବା ସରକାରଙ୍କ ନିୟମ ରହିଥିବାବେଳେ ତାହା ପାଳନ ହେଉ ନ ଥିବାରୁ ଦିବ୍ୟାଙ୍ଗମାନେ ଏପରି ହଇରାଣ ହେଉଛନ୍ତି। ତେବେ ଭତ୍ତା ଟଙ୍କା ଘରେ ଦେବାକୁ ବ୍ୟବସ୍ଥା ହେଲେ ତାଙ୍କୁ ସୁବିଧା ହୁଅନ୍ତା ବୋଲି ନାରାୟଣ କହିଛନ୍ତି। ଏଥିରେ ସ୍ଥାନୀୟ ବୁଦ୍ଧିଜୀବୀ ତାଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି।