ହସ୍ତକଳା କରିଛି ସ୍ବାବଲମ୍ବୀ

ଚିତ୍ରଡ଼ା,୨୫।୪(ଡି.ଏନ.ଏ.)- ହାଣ୍ଡିଶାଳରୁ ମହାକାଶ। ଘର ଅଗଣାରୁ ସଂସଦ ଭବନ। ସବୁ କ୍ଷେତ୍ରରେ ନାରୀ ନିଜର ରାକାଷ୍ଠା ପ୍ରତିପାଦିତ କରିଆସୁଛନ୍ତି। ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ କାଦୁଆଣି ଗ୍ରାମରେ। ଏହି ଗ୍ରାମର ମା’ ସିନ୍ଧୁତନୟା ପ୍ରଡ୍ୟୁସର ଗ୍ରୁପର ମହିଳା ସଦସ୍ୟାମାନେ ହସ୍ତକଳା ଦ୍ୱାରା ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିିପୋଷଣ କରି ପାରୁଛନ୍ତି। ନିଷ୍ଠା,ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ ନିଜର ଦକ୍ଷତା ଦେଖାଉଛନ୍ତି। ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣିତ କରି ପାରିଛନ୍ତି।
୯ଟି ଗ୍ରୁପର ୩୫ଜଣ ମହିଳା ମିଶି ୭ ମାସ ଟ୍ରେନିଂ ନେଇ ସବାଇଘାସ, ଖଜୁରୀ ଡାଳ, ସୁତୁଲୀ ଆଦିରେ ୨୦ରୁ ୨୫ ପ୍ରକାରର ସୁନ୍ଦର ଘରକରଣା ଉପକରଣ ତିଆରି କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କଠାରୁ ସବାଇଘାସ କିଣି ଏବଂ ଜଙ୍ଗଲରୁ ଖଜୁରୀ ଡାଳ ଆଣି ଘରକାମ ସରିବା ପରେ ପ୍ରତ୍ୟେକ ଦିନ ଏହି ଜିନିଷ ତିଆରି କରିବାରେ ସେମାନେ ଲାଗିପଡ଼ିଛନ୍ତି। ଏହି ମହିଳାମାନେ ତିଆରି କରୁଥିବା ଫୁଲ ଚାଙ୍ଗୁଡ଼ି, ଡଷ୍ଟବିନ, ଫଳ ବାସ୍କେଟ ଆଦି ବିଭିନ୍ନ ଉପକରଣ କିଣିବାକୁ ଲୋକେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତ୍ୟେକ ମହିଳା ଦିନକୁ ୧୦୦ ଟଙ୍କା ହିସାବରେ ମାସକୁ ୩ ହଜାର ଟଙ୍କା ଲେଖାଏ ରୋଜଗାର କରିପାରୁଥିବା ଏହି ଗ୍ରୁପର ସଦସ୍ୟା ଧନବତୀ ଧଳ ପ୍ରକାଶ କରିଛନ୍ତି। ଏହି ସବୁ ସାମଗ୍ରୀ ତିଆରି କାର୍ଯ୍ୟରେ ସେମାନଙ୍କ ପରିବାର ଲୋକ ସହଯୋଗ କରୁଥିବା କୁହନ୍ତି ଲିଲି ନାୟକ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ବଜାର ଚାହିଦା ଅଧିକ ଥିବା ସଂଯୁକ୍ତା ରାଜ କହିଛନ୍ତି। ସରକାରୀ ଭାବେ ସେମାନେ କୌଣସି ତାଲିମ କିମ୍ବା ସୁବିଧା ସୁଯୋଗ ନ ପାଇ ଯେଭଳି ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି ତାହା ଦ୍ୱାରା ଅନ୍ୟ ମହିଳାମାନେ ପ୍ରେରଣା ପାଇବେ ବୋଲି ଏହି ଗ୍ରୁପର ସଦସ୍ୟାମାନେ କହିଛନ୍ତି। ସରକାର ସେମାନଙ୍କ ଗ୍ରୁପଟିକୁ ରେଜିଷ୍ଟ୍ରେଶନ କରାଇଦେଲେ ସେମାନେ ତିଆରି କରୁଥିବା ଜିନିଷର ଉଚିତ ମୂଲ୍ୟ ପାଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି। ଏନେଇ ଓଡ଼ିଶା ଲିଭଲିହୁଡ୍‌ ମିଶନର ବିପିଏମ୍‌ ହିମାଂଶୁ ଭୂଷଣ ସାହୁଙ୍କୁ ପଚାରିିବାରୁ ଚଢ଼େଇଗାଁ ଏମ୍ବିକେ ମିନତୀ ଦାସ ତାଙ୍କୁ ଏ ବିଷୟରେ କହିଥିଲେ ଓ ସେ ଏହି ଗ୍ରୁପ ବିଷୟରେ ଜାଣିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ରେଜିଷ୍ଟ୍ରେଶନ ପାଇଁ ଆସିଲେ ଉକ୍ତ ଗ୍ରୁପଟିକୁ ଫରମେଶନ କରାଯିବା ବୋଲି ସେ ପ୍ରକାଶ କରିଛନ୍ତି।