ବନ୍ଧକଙ୍କ ମୁକ୍ତି ପାଇଁ ଏଭଳି ସର୍ତ୍ତ ରଖିଲା ହମାସ…

ଜେରୁଜେଲମ,୨୯।୧୦ : ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହୋଇଛି। ଇସ୍ରାଏଲ ଉତ୍ତର ଗାଜା ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ଇସ୍ରାଏଲ ଅନୁଯାୟୀ ଏହି ସଂଗ୍ରାମ ଆହୁରି ଭୟଙ୍କର ହେବ। ଏହି ସମୟରେ, ଇସ୍ରାଏଲ ଆଗରେ ସବୁଠାରୁ ବଡ ଆହ୍ବାନ ହେଉଛି ହମାସ ଦ୍ୱାରା ବନ୍ଧକ ଥିବା ନାଗରିକମାନଙ୍କୁ ମୁକ୍ତ କରିବା। ସୂଚନାଯୋଗ୍ୟ ହମାସ ୨୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିଥିଲା। ହମାସ ବର୍ତ୍ତମାନ ଏହି ବିଷୟରେ ବୁ ଝାମଣା କରିବାକୁ ଆଗେଇଛି। ଏହା ପୂର୍ବରୁ ସେ କିଛି ବନ୍ଧକ ମୁକ୍ତ ହେବା ବଦଳରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ବିଷୟରେ କହିଥିଲା। କିନ୍ତୁ ବର୍ତ୍ତମାନ ହମାସ ଏକ ନୂତନ ଦାବି କରଛି।

ଇସ୍ରାଏଲ ସମ୍ମୁଖରେ ହମାସ ଏକ ସର୍ତ୍ତ ରଖିଛି ଯଦି ବନ୍ଧକ ନାଗରିକମାନଙ୍କୁ ମୁକ୍ତ କରିବାକୁ ଚାହୁଁଛ ତେବେ ସମସ୍ତ ପାଲେଷ୍ଟାଇନୀୟମାନଙ୍କୁ ମୁକ୍ତ କରିବା ଉଚିତ। ହାମାସର ଜଣେ ନେତା ୟାହିୟା ସିନୱାର କହିଛନ୍ତି ଯଦି ଇସ୍ରାଏଲ ଏହାର ଜେଲରେ ଥିବା ସମସ୍ତ ପାଲେଷ୍ଟାଇନୀୟମାନଙ୍କୁ ମୁକ୍ତ କରେ, ତେବେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବ। ସିନୱାର କହିଛନ୍ତି ଆମର ସର୍ତ୍ତ ହେଉଛି ଇସ୍ରାଏଲର ଜେଲରେ ଥିବା ସେହି ସମସ୍ତ ପାଲେଷ୍ଟାଇନ ବନ୍ଦୀ ଯେଉଁମାନେ ପାଲେଷ୍ଟାଇନର ସ୍ବାଧୀନତାକୁ ସମର୍ଥନ କରିଥିଲେ ଏବଂ ପ୍ରଦର୍ଶନ କାରଣରୁ ଗିରଫ ହୋଇଥିଲେ ସେମାନଙ୍କୁ ମୁକ୍ତ କରାଯିବା ଉଚିତ। ଏବେ ଦେଖିବାକୁ ବାକି ରହିଲା ଇସ୍ରାଏଲ ଏହି ବିନିମୟ ପ୍ରସଙ୍ଗରେ କେତେ ରାଜି ହୋଇଛି ।

ଖବର ଅନୁଯାୟୀ, ଇସ୍ରାଏଲ ଏପର୍ଯ୍ୟନ୍ତ ଏହି ଦାବି ଗ୍ରହଣ କରି ନାହିଁ। ଏଥି ସହିତ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ତୀବ୍ର ହୋଇଛି। ଇସ୍ରାଏଲ କୌଣସି ମୂଲ୍ୟରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ଏହି ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଉତ୍ତେଜନା ଦେଖାଦେଇଛି।

Share