Categories: ଜାତୀୟ

ଅମ୍ରିତ୍‌ପାଲଙ୍କ ଗନ୍‌ମ୍ୟାନ୍‌ ଗିରଫ

ଚଣ୍ଡିଗଡ,୨୩।୩: ଖଲିସ୍ତାନ ସମର୍ଥକ ଅମ୍ରିତ୍‌ପାଲ ସିଂଙ୍କ ଗନ୍‌ମ୍ୟାନ୍‌ ତେଜିନ୍ଦର ସିଂ ଛଦ୍ମନାମ ଗୋରଖା ବାବାଙ୍କୁ ଖାନ୍ନା ପୋଲିସ ଗିରଫ କରିଛି। ତାଙ୍କୁ ପାୟଲ ପୋଲିସ ଷ୍ଟେଶନ ମାଲାଉଟରୁ ଗିରଫ କରାଯାଇଥିଲା। ଗୋରଖା ବାବା ମଲାଉଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଖାନ୍ନା ମଙ୍ଗୱାଲ ଗାଁର ବାସିନ୍ଦା। ସେ ଅମ୍ରିତ୍‌ପାଲଙ୍କ ଗନ୍‌ମ୍ୟାନ୍‌ ଥିଲେ। ଡିଏସପି ପାୟଲ ହର୍ଷମ୍ରତ ସିଂ କହିଛନ୍ତି ଯେ, ତେଜିନ୍ଦର ସିଂ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଥିଲେ। ଅସ୍ତ୍ରଶସ୍ତ୍ର ସହିତ ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ମାଲାଉଡ ପୋଲିସ ଷ୍ଟେଶନରେ ତେଜିନ୍ଦରଙ୍କ ବିରୋଧରେ ଏକ ପୃଥକ ମାମଲା ରୁଜୁ ହୋଇଥିଲା। ୧୦୭/୧୫୧ ଅଧୀନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ତେଜିନ୍ଦରଙ୍କ ସହ ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ପଳାତକ ଖଲିସ୍ତାନୀ ସମର୍ଥକ ତଥା ଓ୍ବାରିସ୍‌ ପଞ୍ଜାବ ଡେ’ ମୁଖ୍ୟ ଅମ୍ରିତ୍‌ପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବୁଧବାର ଲକୁ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଏବଂ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛି। ଅଦ୍ୟାବଧି ଅମ୍ରିତପାଲ୍‌ଙ୍କୁ ଗିରଫ କରାଯାଇ ନାହିଁ। ଅନ୍ୟପକ୍ଷେ ଅମ୍ରିତ୍‌ପାଲ ପୋଲିସକୁ ବାଟବଣା କରିବା ପାଇଁ ଲଗାତର ନିଜ ବେଶଭୂଷା ପରିବର୍ତ୍ତନ କରୁଥିବା ପୋଲିସ ଅଭିଯୋଗ ଆଣିଥିବାବେଳେ ଏ ନେଇ କିଛି ଫଟୋ ମଧ୍ୟ ଜାରି କରିଛି।

Share