ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୩୨ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ନେପାଳ ଦଳ ମାତ୍ର ୨୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ନେପାଳ ଦଳ ମାତ୍ର ୧୧.୩ ଓଭରରେ ପାଭିଲିୟନ ଫେରିଯାଇଥିଲା ଏବଂ ଏହି ଦଳ ପାଇଁ କାଳ ସାଜିଥିଲେ ଦ୍ରୁତ ବୋଲର ପ୍ରିନ୍ସ ଯାଦବ। ପ୍ରିନ୍ସ ଯାଦବ ଏକାକୀ ନେପାଳର ଅଧା ଦଳକୁ ଆଉଟ୍ କରିଦେଇଥିଲେ ଏବଂ ସେ ୫ ଓଭରରେ ମାତ୍ର ୬ ରନ୍ ଖର୍ଚ୍ଚ କରିଥିଲେ।
ନେପାଳ ବିପକ୍ଷରେ ପ୍ରିନ୍ସ ଯାଦବ ପ୍ରଥମ ଓଭରରୁ ହିଁ ଷ୍ଟମ୍ପ୍ସକୁ ଟାର୍ଗେଟ୍ କରିଥିଲେ ଏବଂ ଦୋହାର ୨୨ ଗଜ୍ ପିଚ୍ରେ ନିଆଁ ବର୍ଷା କରୁଥିବା ନଜର ଆସିଥିଲେ। ପ୍ରିନ୍ସ ନିଜ ପ୍ରଥମ ଓଭରର ଚତୁର୍ଥ ବଲ୍ରେ ଦୀପକ ଡୁମରେଙ୍କୁ ଆଉଟ୍ କରି ପ୍ରଥମ ସଫଳତା ହାସଲ କରିଥିଲେ। ଏହି ଓଭରରେ ହିଁ ପ୍ରିନ୍ସ ବସିର ଅହମଦଙ୍କୁ ବୋଲ୍ଡ କରିଦେଇଥିଲେ। ପ୍ରିନ୍ସ ଯାଦବ ନିଜ ପ୍ରଥମ ଓଭରକୁ ‘ଡବଲ୍ ୱିକେଟ୍ ମେଡେନ୍’ ଭାବେ ଫିଙ୍ଗିଥିଲେ। ଏହା ପରେ ପ୍ରିନ୍ସ ଇନିଂସ୍ର ୮ମ ଓଭରରେ ପୱନ ସର୍ରାଫଙ୍କୁ ବୋଲ୍ଡ କରିଥିଲେ। ପ୍ରିନ୍ସଙ୍କ ୟର୍କରର କୌଣସି ଜବାବ ପୱନଙ୍କ ପାଖରେ ନ ଥିଲା। ୧୦ମ ଓଭରରେ ପ୍ରିନ୍ସ ପ୍ରତିସ୍ଙ୍କୁ ଆଉଟ୍ କରିଥିଲେ ଏବଂ ଏଥର ମଧ୍ୟ ସେ ବ୍ୟାଟରଙ୍କୁ ବୋଲ୍ଡ କରିଥିଲେ। ଏହି ଓଭରରେ ହିଁ ପ୍ରିନ୍ସ ନେପାଳ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ପ୍ରଥମ ବଲ୍ରେ ବୋଲ୍ଡ କରି ନିଜ ୫ ଉଇକେଟ୍ ପୂରଣ କରିଥିଲେ।
ସୂଚନାଯୋଗ୍ୟ ଯେ, ପ୍ରିନ୍ସ ନିଜ ଲିଷ୍ଟ-ଏ କ୍ୟାରିୟରରେ ପ୍ରଥମ ଥର ପାଇଁ ୫ ଉଇକେଟ୍ ହାସଲ କରିଛନ୍ତି, ଯାହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ହର୍ଷିତ ରାଣା ମଧ୍ୟ ନେପାଳ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଏହି ଖେଳାଳି ନେପାଳ ବିପକ୍ଷରେ ୧୬ ରନ୍ ଦେଇ ୪ଟି ଉଇକେଟ୍ ଅକ୍ତିଆର କରିଥିଲେ। ହର୍ଷିତ ରାଣା ପ୍ରଥମ ଓଭରରେ ଅର୍ଜୁନ କୁମଲଙ୍କୁ ଆଉଟ୍ କରିଥିଲେ। ଏହା ବ୍ୟତୀତ ସେ କୁଶଳ ଭୁର୍ଟେଲ, ରସିଦ ଖାନ ଏବଂ ଲୋକେଶ ବାମଙ୍କ ଉଇକେଟ୍ ମଧ୍ୟ ନେଇଥିଲେ। ସ୍ପିନର୍ ଶାହବାଜ ଅହମଦଙ୍କୁ ଗୋଟିଏ ଉଇକେଟ୍ ମିଳିଥିଲା।
ପ୍ରିନ୍ସ ଯାଦବ ୫ଟି ଉଇକେଟ୍ ହାସଲ କରିଥିଲେ ମଧ୍ୟ ‘ପ୍ଲେୟର୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର କୁମାର କୁଶାଗ୍ରଙ୍କୁ ମିଳିଥିଲା। ଡାହାଣହାତୀ ବ୍ୟାଟର କୁଶାଗ୍ର ୧୦୨ ବଲ୍ରେ ୧୧୭ ରନ୍ର ଇନିଂସ୍ ଖେଳିଥିଲେ। ତାଙ୍କ ବ୍ୟାଟ୍ରୁ ୧୦ଟି ଚୌକା ଏବଂ ୫ଟି ଛକା ବାହାରିଥିଲା। ଟିମ୍ ଇଣ୍ଡିଆ ଯେତେବେଳେ ସଙ୍କଟରେ ଥିଲା, ସେତେବେଳେ କୁଶାଗ୍ର ଅଧିନାୟକ ତିଲକ ବର୍ମାଙ୍କ ସହ ମିଶି ୨୦୬ ରନ୍ର ଭାଗିଦାରୀ ଗଢ଼ିଥିଲେ। ଅଧିନାୟକ ତିଲକ ବର୍ମା ମଧ୍ୟ ଶତକ ହାସଲ କରି ୧୦୭ ରନ୍ର ଇନିଂସ୍ ଖେଳିଥିଲେ। ଏବେ ଇଣ୍ଡିଆ-ଏର ପରବର୍ତ୍ତୀ ମୁକାବିଲା ରବିବାର ପାକିସ୍ତାନ ଶାହିନ୍ସ ବିପକ୍ଷରେ ହେବ।