ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ, ବଢୁଛି ଦୁର୍ଘଟଣା

କାଳିଆପାଣି,୧୫ା୩(ଡି.ଏନ.ଏ.): ଯାଜପୁର ଜିଲା ପୂର୍ତ୍ତ ବିଭାଗ ଅଧୀନରେ କାଳିଆପାଣି-ମଙ୍ଗଳପୁର ମୁଖ୍ୟ ରାସ୍ତାର ଟାଟା ବଜାର ତାରେଣି ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ମାତ୍ର ଉକ୍ତ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ ରହିଥିବାରୁ ଏବେ ଦୈନିକ ଦୁର୍ଘଟଣା ଘଟୁଛି। ଗତ ବୁଧବାର କେନ୍ଦୁଝର ଅଞ୍ଚଳରୁ ୨ ଯୁବକ ଏକ ବାଇକ୍‌ରେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅପର ପାଶର୍‌ବରୁ ଯାଉଥିବା ଟ୍ରକର ଟାୟାର ପମ୍ପଚର ହେବାରୁ ତାହା ରାସ୍ତା ମଝିରେ ଠିଆ ହୋଇଯାଇଥିଲା। ଫଳରେ ବାଇକ୍‌ ଆରୋହୀ ଦ୍ୱୟ ରଡ୍‌ ଉପରେ ପଡିଯାଇଥିଲେ। ଯଦ୍ଦ୍ବାରା ଜଣଙ୍କର ମୁଣ୍ଡରେ ମାଡ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପିଠିରେ ରଡ ବାଜି କ୍ଷତ ସୃଷ୍ଟି କରିଥିଲା। ସେଠାରେ ଉପସ୍ଥିତଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ସେହିପରି ସୋମବାର ରାତିରେ ଏକ ୧୪ ଚକିଆ ଟ୍ରକ୍‌ କାଳିଆପାଣି ଆଡୁ କ୍ରୋମାଇଟ ନେଇ ମଙ୍ଗଳପୁର ଦିଗକୁ ଯାଉଥିବାବେଳେ ଅପରପାଶର୍‌ବରୁ ଆସୁଥିବା ଏକ ବାଇକ୍‌ ଚାଳକକୁ ସାଇଟ ଦେଉଥିଲା। ତେବେ ରାସ୍ତାର ଫୁଟପାତରେ ମାଟି ନ ଥିବାରୁ ଟ୍ରକ୍‌ଟି ତଳକୁ ଖସି ଯାଇଥିଲା। ଫଳରେ ଟ୍ରକର ଫ୍ରଣ୍ଟ ଏକ୍ସେଲ ଭାଙ୍ଗି ଯାଇଥିଲା। ଅଳ୍ପକେ ଟ୍ରକ ଓଲଟିବାରୁ ବର୍ତ୍ତିଯାଇଥିଲା।
ବିନା ସୂଚନା ଫଳକ ଓ ବିନା ଟେଣ୍ଡରରେ ରାସ୍ତା ନିର୍ମାଣ ହେଉଥିବାବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଅନୁପସ୍ଥିତ ରହୁଛନ୍ତି। ଫଳରେ ଠିକାସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି। ଠିକାସଂସ୍ଥା ଏକ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଗୋଟିଏ କଡ଼ରେ କଂକ୍ରିଟ ଢଳାଇ କରିଛି। ରାସ୍ତାର ଡାହାଣ ପାର୍ଶ୍ୱରେ ୧୦ ଏମ୍‌ଏମ୍‌ ରଡ୍‌ ଦିଆଯାଇଛି। ରଡ୍‌ଗୁଡିକ ଉପରକୁ ବାହାରିକି ରହିଥିବାରୁ ପଥଚାରୀ ଓ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି ବୋଲି ଅଭିଯୋଗ ହୋଇଛି। ଏପରି ଦାୟିତ୍ୱହୀନ ଠିକାଦାରଙ୍କୁ କାର୍ଯ୍ୟ ଦେଇ ବିଭାଗ ବସିଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଉପରିସ୍ଥ ଅଧିକାରୀ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବନେତା ଦିଲୀପ ପାତ୍ର ଓ ନରୋତ୍ତମ ମହାନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋଜ ମାଝୀଙ୍କୁ ଫୋନ୍‌ ଦ୍ୱାରା ଯୋଗଯୋଗ କରିବାରୁ ସେ କୌଣସି ଉତ୍ତର ନ ଦେଇ ଫୋନ କାଟି ଦେଇଥିଲେ।