ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ ୧୨୪ ରନ୍ରେ ପରାସ୍ତ କରିଛି । ଭାରତ ପକ୍ଷରୁ ମିଳିଥିବା ୧୭୦ ରନ୍ର ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ମାତ୍ର ୪୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଦଳର ୬ ଜଣ ବ୍ୟାଟର ଖାତା ଖୋଲିପାରିନଥିଲେ । ସିନେଥ ଜୟବର୍ଦ୍ଧନା, ଲସିଥ କ୍ରୁସପୁଲ, ସୋହନ ଡିଲିଭେରା, ଆଶେନ ବଣ୍ଡାରା ଓ ବିନୁରା ଫର୍ନାଣ୍ଡୋ ଶୂନରେ ଆଉଟ୍ ହୋଇଥିଲେ । ବିଜୟକାନ୍ତ ବିୟାସକାନ୍ତ ମଧ୍ୟ ରନ୍ କରିପାରିନଥିଲେ, ହେଲେ ସେ ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଜସପ୍ରୀତ ବୁମରା, ଅକ୍ଷର ପଟେଲ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୱାଶିଂଟନ ସୁନ୍ଦରଙ୍କ ଖାତାରେ ଗୋଟିଏ ୱିକେଟ୍ ଯାଇଥିଲା। ରବି ବିଷ୍ଣୋଇଙ୍କୁ କୌଣସି ୱିକେଟ୍ ମିଳିନଥିଲା। ୪୫ ରନ୍ରେ ଅଲଆଉଟ୍ ହେବା ସହ ଶ୍ରୀଲଙ୍କା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜର ସବୁଠୁ କମ୍ ସ୍କୋର ରେକର୍ଡ କରିଛି । ଏହା ପୂର୍ବରୁ ଶ୍ରୀଲଙ୍କାର ସବୁଠୁ କମ୍ ଟି-୨୦ ସ୍କୋର ଥିଲା ୭୭ ରନ୍ । ୨୦୨୪ ଜୁନ୍ ୩ରେ ଟି-୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଏହି ସ୍କୋର କରିଥିଲା।
ଶ୍ରୀଲଙ୍କା ପକ୍ଷରୁ କେବଳ ନୁୱାନିଦୁ ଫର୍ନାଣ୍ଡୋ ଦୁଇ ଅଙ୍କ ଛୁଇଁଥିଲେ। ସେ ୧୧ ବଲ୍ରୁ ୧୫ ରନ୍ କରିଥିଲେ । ଅଧିନାୟକ ସହାନ ଆରାଚିଗେ ୯ ଏବଂ ଥରିନ୍ଦୁ ରତ୍ନାୟକ ୫ ରନ୍ କରିଥିଲେ। ଏହା ପୂର୍ବରୁ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ଈଶାନ କିଶନ ୪୬ ବଲ୍ରୁ ୮୦ ରନ୍ର ଅପରାଜିତ ଇନିଂସ୍ ଖେଳି ଦଳର ସର୍ବାଧିକ ସ୍କୋରର ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀ ୨୧ ବଲ୍ରୁ ୩୮ ରନ୍ କରିଥିଲେ।
ଶ୍ରୀଲଙ୍କା ପକ୍ଷରୁ ଥରିନ୍ଦୁ ରତ୍ନାୟକ ଓ ସହାନ ଆରାଚିଗେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୱାନୁଜା ସହନ, ଲସିଥ କ୍ରୁସପୁଲ ଓ ନୁୱାନିଦୁ ଫର୍ନାଣ୍ଡୋ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।