ଚାଇନାରୁ ଇଟାଲୀ ଯାଉଥିବା ଅଧା ଯାତ୍ରୀ କରୋନା ପଜିଟିଭ୍‌…

ବେଜିଂ,୨୯।୧୨ : ଚାଇନାରୁ ଇଟାଲୀ ଯାଉଥିବା ବିମାନର ଅଧା ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି କାରଣରୁ ଚାଇନାଠାରୁ ଅନ୍ୟ ଦେଶକୁ କରୋନା ବିସ୍ତାର ହେବାର ଆଶଙ୍କା ଆହୁରି ବଢ଼ିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ଭାରତ ଏବଂ ଆମେରିକା ସମେତ ସାତୋଟି ଦେଶ ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନରେ ଯାତ୍ରା କରିବାକୁ ଯିବା ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ଉପସ୍ଥାପନ କରିବା ବାଧ୍ୟତାମୂଳକ କରିଛନ୍ତି।

ଅନ୍ୟପକ୍ଷରେ, ଦେଶରେ ବହୁ ସଂଖ୍ୟକ କରୋନା ରୋଗୀଙ୍କ ଉପସ୍ଥିତି ସତ୍ତ୍ୱେ ଚାଇନା କଟକଣାକୁ କଠୋର ନକରି କୋହଳ କରିବାରେ ଲାଗିଛି। ନୂଆ ବର୍ଷରେ କୋଭିଡ ବିପଦ ସ୍ତରକୁ ’ଏ’ ରୁ ’ବି’ କୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହି କାରଣରୁ, କରୋନା ରୋଗୀଙ୍କୁ କ୍ୱାରେଣ୍ଟାଇନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଚାଇନା ପ୍ରଶାସନ କହିଛି।

ଆସନ୍ତା ମାସରୁ ଚାଇନାର ନୂଆ ବର୍ଷ ଛୁଟିରେ ବିଦେଶ ଭ୍ରମଣ କରିବାକୁ ଚାହୁଁଥିବା ଲୋକଙ୍କୁ ଲକ୍ଷ ଲକ୍ଷ ସାଧାରଣ ପାସପୋର୍ଟ ଏବଂ ଭିଜା ପ୍ରଦାନ କରିବ ବୋଲି ଚାଇନା ଘୋଷଣା କରିଛି। ଏହା ସମଗ୍ର ବିଶ୍ୱରେ କୋଭିଡର ଏକ ନୂତନ ସଂକ୍ରମଣ ହେବାର ଆଶଙ୍କାକୁ ବଢ଼ାଇ ଦେଇଛି ।

Share