ବାରଙ୍ଗ,୨୭ା୧୧(ଲିଙ୍ଗରାଜ ରାଉତ): କଟକ ଉପକଣ୍ଠ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ତଥା ସନ୍ଦେହଜନକ ଘଟଣା ଘଟିଛି। ଏକ କାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି। ତେବେ କାର୍ ଭିତରେ ନୁହେଁ, ବରଂ ଜଳନ୍ତା କାର୍ଠାରୁ ପ୍ରାୟ ୪/୫ ଫୁଟ ଦୂରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବାରୁ ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ କାର୍ଟି ହୁତୁହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଦେଖୁଦେଖୁ କାର୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ ଯାଞ୍ଚ କରିବା ସମୟରେ ଜଳନ୍ତା କାର୍ଠାରୁ ମାତ୍ର ୪/୫ ଫୁଟ ଦୂରରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିଆଁ ଲାଗିବା ପରେ ବ୍ୟକ୍ତି ଜଣକ ଜୀବନ ବଞ୍ଚାଇବା ପାଇଁ କାର୍ରୁ ବାହାରି ଆସିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିବାରୁ କାର୍ଠାରୁ ଅଳ୍ପ ଦୂରରେ ପଡ଼ିଯାଇଥାଇ ପାରନ୍ତି। ଅନ୍ୟପଟେ, ଏହା ଏକ ଆକସ୍ମିକ ଦୁର୍ଘଟଣା ନା କେହି ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ଗାଡ଼ି ସହ ପୋଡ଼ି ଦେବାକୁ ଉଦ୍ୟମ କରିଛି, ସେ ଦିଗକୁ ମଧ୍ୟ ପୋଲିସ ତଦନ୍ତ କରୁଛି।
ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ। ପୋଡ଼ି ଯାଇଥିବା କାର୍ର ନମ୍ବର ପ୍ଲେଟ୍ଟି କଟକ ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଉକ୍ତ ଗାଡ଼ି ନମ୍ବର ଆଧାରରେ ପରିବହନ ବିଭାଗ ସହ ଯୋଗାଯୋଗ କରି ଗାଡ଼ିର ମାଲିକ କିଏ ଏବଂ ଘଟଣା ସମୟରେ କାର୍ ଭିତରେ ଆଉ କେହି ଥିଲେ କି ନାହିଁ, ସେ ନେଇ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି।
ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ଫରେନ୍ସିକ୍ ଯାଞ୍ଚ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।