ଜଣଙ୍କ ପରେ ଜଣେ, ଅଧା ଡଜନ ଖେଳାଳି ‘ଅନ୍‌ଫିଟ୍‌’

ନୂଆଦିଲ୍ଲୀ,୯।୧୨: ଭାରତରେ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଟିତ ହେବ। ଏହାକୁ ଆଉ ୧୨ ମାସରୁ କମ୍‌ ସମୟ ବାକି। ଏମିତିରେ ଭାରତୀୟ ଟିମ୍‌ର ପ୍ରସ୍ତୁତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ବର୍ତ୍ତମାନ ଦଳର ପ୍ରସ୍ତୁତି ଶୂନ ବୋଲି କୁହାଯାଉଛି। ନ୍ୟୁଜିଲାଣ୍ଡ ପରେ ବାଲାଂଦେଶ ବିପକ୍ଷ ଦିନିକିଆ ସିରିଜରେ ଭାରତ ପରାଜିତ ହୋଇଛି। ଗୋଟିଏ ପଟେ ଖରାପ ପ୍ରଦର୍ଶନ ସାଙ୍ଗକୁ ଖେଳାଳିଙ୍କ ଫିଟ୍‌ନେସ୍‌ ଚିନ୍ତାର ବିଷୟ ପାଲଟିଛି। ଏବେ ଟିମ୍‌ ଇଣ୍ଡିଆର ୬ଜଣ ଖେଳାଳି ଆହତ ହୋଇଛନ୍ତି। ସମସ୍ତେ ବିଶ୍ୱକପ୍‌ ଲାଗି ଦଳରେ ସାମିଲ ହେବାର ପ୍ରବଳ ଦାବିଦାର।

ତାଲିକାରେ ପ୍ରଥମ ନାମ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହାକୁ ନେଇ ସେ ଅନ୍ତିମ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ଏପରିକି ସେ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି।

ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଲଗାତାର ଭାବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଚାରି ମାସ ମଧ୍ୟରେ ସେ ୩ ଥର ଆହତ ହୋଇଛନ୍ତି।

ସେହିଭଳି ଦ୍ରୁତ ବୋଲର କୁଳଦୀପ ସେନ, ଜସପ୍ରିତ ବୁମ୍‌ରା,ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ପ୍ରମୁଖ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଛନ୍ତି। ସେମାନେ ସୁସ୍ଥ ହୋଇ ଫିଟ୍‌ନେସ ହାସଲ କରିବେ ବୋଲି ଆଶା କରାଯାଉଛି।