ହକରଙ୍କ ପୁଅ ଓସିଏସ୍‌ରେ ଉତ୍ତୀର୍ଣ୍ଣ

ଅନୁଗୋଳ ଅଫିସ, ୮ା୧୦ : ପିଲାବେଳେ ଏକ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ କରିଦେଇଥିଲା। ହେଲେ ଏହି ଶାରୀରିକ ଅକ୍ଷମତା ତାଙ୍କ ମନୋବଳକୁ ଭାଙ୍ଗିପାରି ନ ଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଜ ମେଧା ପ୍ରଦର୍ଶନ କରି ସେ ୨୦୧୯ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓସିଏସ୍‌) ଯାଏ ପହଞ୍ଚିପାରିଥିଲେ। କିନ୍ତୁ ପୁନର୍ବାର ଦୁର୍ଘଟଣା ସେଥିରେ ପ୍ରତିବନ୍ଧକ ସାଜିଥିଲା। ପ୍ରିଲିମ୍‌ରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଆହତ କାରଣରୁ ମେନ୍‌ ପରୀକ୍ଷାରୁ ତାଙ୍କୁ ବଞ୍ଚିତ ହେବାକୁ ପଡ଼ିଥିଲା। ହେଲେ ଦୃଢ଼ ମନୋବଳ ଯୋଗୁ ସଫଳତା ପଥରେ ଥିବା ସମସ୍ତ ଅବରୋଧକୁ ସେ ହଟାଇଦେଇଛନ୍ତି। ୨୦୨୦ ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ହକରଙ୍କ ପୁଅ ସତ୍ୟବ୍ରତ ମହାପାତ୍ର ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି।
ଅନୁଗୋଳ ବସ୍‌ଷ୍ଟାଣ୍ଡରେ ହକର ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ମହାପାତ୍ରଙ୍କ ପୁଅ ହେଉଛନ୍ତି ସତ୍ୟବ୍ରତ ମହାପାତ୍ର। ୧୯୯୭ ଜୁନ୍‌ ୧ରେ ଜନ୍ମିତ ସତ୍ୟବ୍ରତଙ୍କ ପୈତୃକ ଘର ଢେଙ୍କାନାଳ ଜିଲାରେ। ତେବେ ଦୀର୍ଘଦିନ ହେବ ସେ ବାପା ଶ୍ରୀକାନ୍ତ ଓ ମା ସୁମିତ୍ରା ମହାପାତ୍ରଙ୍କ ସହ ଅନୁଗୋଳର ଅମଲାପଡାରେ ରହି ଆସୁଛନ୍ତି। ପରିବାରରେ ବଡ ଭାଇଙ୍କ ସହ ଦୁଇ ଭଉଣୀ ଥିବାବେଳେ ସତ୍ୟବ୍ରତ ହେଉଛନ୍ତି ସାନ ପୁଅ। ସେ ଉତ୍ତରପଡା ବିଦ୍ୟାଳୟ ଓ ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଶିକ୍ଷା ସମାପ୍ତ କରିବା ସହ ଅନୁଗୋଳ ସରକାରୀ ଜୁନିୟର କଲେଜରେ ଯୁକ୍ତ ୨ ପଢିଥିଲେ। ଏହାପରେ ଭୁବନେଶ୍ବରସ୍ଥିତ ଓୟୁଏଟିରେ ଏଗ୍ରିକଲଚରରେ ଗ୍ରାଜୁଏଟ ହୋଇଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଏକ ସଂସ୍ଥା ପକ୍ଷରୁ ସ୍କଲାରଶିପ୍‌ ଦିଆଯାଇ କୋଚିଂ ପାଇଁ ବାଙ୍ଗାଲୋର ପଠାଯାଇଥିଲା। ତେବେ ସେ ଦ୍ବିତୀୟ ପ୍ରଚେଷ୍ଟାରେ ୨୦୨୦ ଓସିଏସ୍‌ ପରୀକ୍ଷାରେ ୨୭୯ ର଼୍ୟାଙ୍କ ରଖିଛନ୍ତି। ଶୁକ୍ରବାର  ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସେ ଓ ପରିବାର ଲୋକେ ବେଶ୍‌ ଖୁସି ହୋଇଛନ୍ତି। ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ପିଲାଦିନରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ବିଜେତା ହୋଇଛନ୍ତି। ଏପରି କି ଦୈନିକ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ହୋଇଥିବା ମେଟେଲ ମିଟ୍‌-୨୦୧୭ରେ ସେ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ୨୦୧୮ରେ ସେ ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଦୈନିକ ୬ରୁ ୮ ଘଣ୍ଟା ପରିଶ୍ରମ କରିବା ସହ ଗୁରୁଜନ ଓ ଈଶ୍ୱରଙ୍କ ଆଶୀର୍ବାଦରୁ ଏହି ସଫଳତା ପାଇପାରିଥିବା ସତ୍ୟବ୍ରତ ପ୍ରକାଶ କରିଛନ୍ତି।