କେଶ ରହିବ କଳା

କେଶ ଅଳ୍ପ ବୟସରେ ଧଳା ହେବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ସମସ୍ୟା ପାଲଟିଛି; ଯାହାକୁ ରୋକିବା ଲାଗି ଅନେକେ ବିଭିନ୍ନ ରାସାୟନିକଯୁକ୍ତ କୃତ୍ରିମ କଲର୍‌ ବ୍ୟବହାର କରୁଛନ୍ତି। ହେଲେ ଅପରପକ୍ଷେ ଏହା କେଶକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଜାଣି ରଖନ୍ତୁ ପ୍ରାକୃତିକ ଉପାୟରେ ମେହେନ୍ଦି ବ୍ୟବହାର କରି କେଶକୁ ଦୀର୍ଘଦିନ କଳା ରଖିବାର ଉପାୟ…

ମେହେନ୍ଦି ଓ ଅଣ୍ଡା ପ୍ୟାକ୍‌ : ମେହେନ୍ଦି, ଶିକାକାଇ ଏବଂ ଅଣ୍ଡାର ଧଳା ପେଷ୍ଟ କେଶ ଉଜ୍ଜ୍ୱଳ କରିବା ସହ ଦୀର୍ଘଦିନ ପର୍ଯ୍ୟନ୍ତ କଳା ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ୨ଚାମଚ ମେହେନ୍ଦି ଓ ୧ ଚାମଚ ଶିକାକାଇ ନେଇ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ସକାଳେ ଏହି ପେଷ୍ଟରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ଅଳ୍ପ ଦହି ମିଶାନ୍ତୁ। ଏହାକୁ ଭଲ ଭାବରେ ଗୋଳାଇ ପେଷ୍ଟ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏକ ଘଣ୍ଟା ରଖିବା ପରେ କେଶକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ।
ମେହେନ୍ଦି ଓ କଫି ପ୍ୟାକ୍‌:
ମେହେନ୍ଦିରେ କଫି ମିଶାଇ ଲଗାଇଲେ କେଶ ଦୀର୍ଘ ସମୟ ପର୍ଯ୍ୟନ୍ତ କଳା ରହିଥାଏ। ଏକ କପ୍‌ ପାଣିରେ ଏକ ଚାମଚ କଫି ପାଉଡର ନିଅନ୍ତୁ। କିଛି ସମୟ ପାଇଁ ଏହାକୁ ଫୁଟାନ୍ତୁ। ପରେ ଏହାକୁ ଥଣ୍ଡା କରି ୪- ୫ ଚାମଚ ମେହେନ୍ଦି ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇ ୨-୩ ଘଣ୍ଟା ଛାଡ଼ି ଦିଅନ୍ତୁ। ପରେ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ।
ମେହେନ୍ଦି, ହଳଦୀ ଓ ମୁଲତାନୀ ମାଟି ପ୍ୟାକ୍‌: ମେହେନ୍ଦି ପାଉଡ଼ର, ହଳଦୀ ଏବଂ ମୁଲତାନୀ ମାଟିର ପ୍ୟାକ୍‌ କେଶ ପାଇଁ ଚମତ୍କାର ପ୍ରାକୃତିକ ଉପଚାର। ପ୍ରଥମେ ଦୁଇ ଚାମଚ ମୁଲତାନୀ ମାଟି ଏବଂ ଗୋଟିଏ ଚାମଚ ହଳଦୀକୁ ଦୁଇ ଚାମଚ ମେହେନ୍ଦିରେ ମିଶାନ୍ତୁ। ଏଥିରେ ଆବଶ୍ୟକ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପୂରା କେଶରେ ଲଗାଇ ଏକ ଘଣ୍ଟା ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ମୁଲତାନୀ ମାଟି କେଶକୁ ଘନ ଏବଂ ଶକ୍ତ କରିଥାଏ।