ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପଞ୍ଚାୟତ ଦେଇ ପରଜାବଦପଡ଼ା ଓ ହାତୀବାରି ଯାଉଥିବା ୨ ବସ୍ ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ପଞ୍ଚାୟତ ବଡଟାଙ୍କୁଆ ଗ୍ରାମର ଅର୍ଜୁନ ଗେମେଲ ଓ ମାଛକୁଣ୍ଡ ରେଳ ଷ୍ଟେଶନ ପାର୍ଶ୍ୱ ଜଣଙ୍କ ଦୋକାନ ଛପର ଉଡ଼ି ଯାଇଥିଲା। ନନ୍ଦପୁର ଅଗ୍ନିଶମ ବାହିନୀ ଏଏସ୍ଓ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱାଧୀନ ଟିମ୍ ରାସ୍ତାରୁ ୨ ଗଛକୁ କାଟି ରାସ୍ତାରୁ ଅବରୋଧ ହଟାଇଥିଲେ। ଘର ଛପର ଉଡ଼ିଥିବା ୨ ବ୍ୟକ୍ତିଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ମୁଦୁଲି ଅନୁରୋଧ କରିଛନ୍ତି।

