Categories: ବାଣିଜ୍ୟ

ଏଚ୍‌-୧ ବି ଭିଜା ଆପ୍ଲିକେଶନ ଫି ବଢ଼ିଲା

ମୁମ୍ବାଇ,୨।୮: ଏଚ୍‌-୧ ବି ଭିଜା ଆପ୍ଲିକେଶନର ବେସିକ୍‌ ଫି ବା ସାଧାରଣ ଦେୟକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏଥିଲାଗି ୪୬୦ ଡଲାର (୩୪,୪୬୭.୭୫ ଟଙ୍କା) ଦେବାକୁ ପଡୁଥିବା ବେଳେ ଏଥିରେ ବର୍ତ୍ତମାନ ୨୧% ବୃଦ୍ଧି ଘଟି ୫୫୫ ଡଲାର(୪୧,୫୮୬.୦୯ ଟଙ୍କା) ଛୁଇଁଛି। ସେହିଭଳି ଏଲ୍‌-୧ ଭିଜା ଦେୟ ପ୍ରାୟ ୭୫% ବୃଦ୍ଧି ଘଟି ୮୦୫ ଡଲାର (୬୦,୩୧୮.୫୭ ଟଙ୍କା)ହୋଇଛି। ଏଲ୍‌-୧ ଭିଜା ସାଧାରଣତଃ ଆନ୍ତଃ କମ୍ପାନୀ ସ୍ଥାନାନ୍ତର ଲାଗି ବ୍ୟବହାର ହୋଇଥାଏ। ଅକ୍ଟୋବରଠାରୁ ଏହି ନୂଆ ଫାଇଲିଂ ନିୟମ କାର୍ଯ୍ୟକାରୀ ହେବ। ନିଯୁକ୍ତିଦାତାଙ୍କ ଦ୍ୱାରା ଏହି ଭିଜା ଫି ଦିଆଯାଉଥିଲେ ମଧ୍ୟ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା କିମ୍ବା କାର୍ଯ୍ୟଭାର ଲାଗି ଆମେରିକା ପଠାଇବା ବ୍ୟୟବହୁଳ ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ଶେଷ ସୁଦ୍ଧା ୩.୮୮ ଲକ୍ଷ ଭିଜା ଜାରି କରାଯାଇଛି। ଏହା ମଧ୍ୟରୁ ପ୍ରାୟ ୨.୭୮ ଲକ୍ଷ( ୭୨%) ଭିଜା ଭାରତୀୟମାନେ ଲାଭ କରିଛନ୍ତି। ଏହା ମଧ୍ୟରେ ଭିଜା ଏକ୍ସଟେନଶନ ମଧ୍ୟ ସାମିଲ ରହିଛି। ଆମେରିକାରେ ମୁଖ୍ୟାଳୟ ରହିଥିବା କମ୍ପାନୀଗୁଡିକ ଏଚ୍‌-୧ବି ଭିଜା ଦ୍ୱାରା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାନ୍ତି। ଭାରତୀୟମାନେ ଏହା ମଧ୍ୟରେ ସବୁଠାରୁ ଅଧିକ ଭିଜା ଲାଭ କରୁଥିବା ଜଣାପଡିଛି। କେଉଁ ଦେଶକୁ କେତେ ଏଲ୍‌-୧ ଭିଜା ମିଳିଛି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ।
ଆମେରିକା ସରକାରଙ୍କ ଅପ୍ରବାସନ ଏଜେନ୍ସି ୟୁଏସ୍‌ ସିଟିଜେନଶିପ ଆଣ୍ଡ ଇମିଗ୍ରେଶନ ସର୍ଭିସେସ୍‌(ୟୁଏସ୍‌ସିଆଇଏସ୍‌) ସେଠାକାର ସରକାରଙ୍କ ପକ୍ଷରୁ ୧.୨ ବିଲିୟନ ଡଲାରର ଜରୁରିକାଳୀନ ପାଣ୍ଠି ଆବଶ୍ୟକ କରୁଛି। ଏହାର ମୋଟ୍‌ ଶ୍ରମ ଶକ୍ତି ମଧ୍ୟରୁ ଅଗଷ୍ଟ ଶେଷ ସୁଦ୍ଧା ପ୍ରାୟ ୧୩ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ରହିଥିବା ଯୋଜନାକୁ ଏହା ବର୍ତ୍ତମାନ ସ୍ଥଗିତ ରଖିଛି। ବିଦେଶରୁ ଲୋକମାନଙ୍କର ଫାଇଲିଂ ଫିସ୍‌ରୁ ଏହି ଏଜେନ୍ସିକୁ ପ୍ରାୟ ଅର୍ଥ ମିଳିଥାଏ। ବର୍ତ୍ତମାନ ୫୦ରୁ ଅଧିକ କର୍ମଚାରୀ ରଖିଥିବା ସଂସ୍ଥାରେ ଏଚ୍‌-୧ବି କିମ୍ବା ଏଲ୍‌-୧ ଷ୍ଟାଟସ ଥିବା କର୍ମଚାରୀଙ୍କ ଅଂଶ ୫୦% ଥିଲେ ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡିବ। ପ୍ରତି ନୂଆ ଏଚ୍‌-୧ ବି ଭିଜା ଲାଗି ୪ ହଜାର ଡଲାର(୨.୯୯ ଲକ୍ଷ) ଏବଂ ଏଲ୍‌-୧ବି ଭିଜା ଲାଗି କମ୍ପାନୀଙ୍କୁ ୪,୫୦୦ ଡଲାର(୩.୩୭ ଲକ୍ଷ)ର ଫି ଦେବାକୁ ପଡିବ। ଏହାବାଦ ବର୍ତ୍ତମାନ ଭିଜା ନବୀକରଣ କିମ୍ବା ସମ୍ପ୍ରସାରଣ ଲାଗି ମଧ୍ୟ ଫିସ୍‌ ଦେବାକୁ ହେବ। ଏହାଦ୍ୱାରା ପ୍ରାୟ ୨୦୦ ନିୟୁତ ଡଲାର ସଂଗ୍ରହ କରିବା ଲାଗି ୟୁଏସ୍‌ ସରକାରଙ୍କ ଉକ୍ତ ଏଜେନ୍ସି ଯୋଜନା ଧାର୍ଯ୍ୟ କରିଛି। ଏଚ୍‌-୧ବି ଭିଜା ଗ୍ରହଣ କରିଥିଲେ ସେମାନଙ୍କ ସ୍ପାଉସ (ସ୍ବାମୀ କିମ୍ବା ସ୍ତ୍ରୀ)ଙ୍କ ଓ୍ବାର୍କ ପରମିଟ୍‌ ଲାଗି ୫୫୦ ଡଲାର (୪୧,୨୧୧.୪୪ ଟଙ୍କା)ଦେୟ ଧାର୍ଯ୍ୟ କରାଯାଇଛି। ଏଥିରେ ୩୪% ବୃଦ୍ଧି ଘଟିଛି। ଯେଉଁମାନେ ଆମେରିକାରେ ନାଗରିକତା ଲାଗି ଆବେଦନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଦେୟକୁ ୬୪୦ରୁ ୧୧୭୦ଡଲାର (୮୭,୬୬୭.୯୮ ଟଙ୍କା)କୁ ବୃଦ୍ଧି କରାଯାଇଛି। ଏହି ବର୍ଗରେ ପ୍ରାୟ ୮୩% ବୃଦ୍ଧି ପରିଲକ୍ଷିତ ହୋଇଛି। ଅପରପକ୍ଷରେ ବାୟୋମେଟ୍ରିକ୍ସ ଭଳି ବିଭିନ୍ନ ବର୍ଗରେ ସେବାରେ ଫି ବୃଦ୍ଧି ଘଟିଥିବା ଜଣାପଡ଼ିଛି।

Share