ଛତୁ ଫାର୍ମରେ ପ୍ରସ୍ତୁତ ହେଉଥିଲା ଗୁଟ୍‌ଖା

ବ୍ରହ୍ମପୁର ଅଫିସ/କୁକୁଡାଖଣ୍ଡି,୧୬।୩: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକରେ ସକ୍ରିୟ ହେଇଛନ୍ତି ନକଲି ଗୁଟଖା ବେପାରୀ। ସୋମବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଉପ-ଜିଲାପାଳ ଭି. କୀର୍ତ୍ତି ଭାଷନ ଜଗଦଳପୁର ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ଛତୁ ଫାର୍ମ ଉପରେ ଚଢ଼ାଉ କରିଥିଲେ। ସେଠାରୁ ଗୁଟୁଖା ପ୍ରସ୍ତୁତକାରି ମେଶିନ ସହ ୨୦୦୦ ପକେଟରୁ ଊର୍ଦ୍ଧ୍ୱ ପରିମାଣର ନକଲି ଗୁଟଖା ପକେଟ ଜବତ କରିଥିବା ସୂଚନା ମିଳିଛି। ଚଢ଼ାଉରେ ଫାର୍ମର ଏକ କୋଠରୀରେ ତାଲା ପଡ଼ିଥିବା ବେଳେ କବାଟ ଭାଙ୍ଗି ସ୍ଥାନୀୟ ରାଜସ୍ବ ନିରୀକ୍ଷକ କର୍ମଚାରୀଙ୍କ ସହ ଉପ-ଜିଲାପାଳ ପ୍ରବେଶ କରିଥିଲେ। ସଦର ଥାନା ପୋଲିସ ସେଠାରୁ ଲକ୍ଷାଧିକ ଟଙ୍କାର ପ୍ରସ୍ତୁତକାରି ସାମଗ୍ରୀ ସହ ଯନ୍ତ୍ରପାତି ଜବତ କରିଛି। ଏହି ବେଆଇନ କାରବାର ସହ ଲୋଚାପଡ଼ା ଓ ଜି.ଜଗନ୍ନାଥପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ବ୍ଲକ ଅଞ୍ଚଳରେ ବେଆଇନ ଗୁଟୁଖା ବେପାରୀ ସକ୍ରିୟ ହୋଇଛନ୍ତି।