ସକାଳୁ ଆଖି ଖୋଲିବା ମାତ୍ରେ ଦେଖୁଛନ୍ତି କି ମୋବାଇଲ? ପଡ଼ିପାରେ ଭାରି! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ

ସକାଳୁ ଆଖି ଖୋଲିବା ମାତ୍ରେ ଆପଣ ମୋବାଇଲ ଉଠାଇଲେ। ସାମ୍ନାରେ ଏମିତି ଏକ ମେସେଜ ଥିଲା, ଯାହା ଆପଣଙ୍କୁ ଠିକ ଲାଗିଲା ନାହିଁ। ଅଧିକ ଚିନ୍ତା ନକରି ତୁରନ୍ତ ତାହାର ଉତ୍ତର ଦେଇଦେଲେ। କିନ୍ତୁ କିଛି ସମୟ ପରେ ଅନୁଭବ କଲେ ଯେ, ଆପଣ ମେସେଜର ଅର୍ଥକୁ ଭୁଲ ବୁଝିଥିଲେ। ଏକ ଛୋଟ ମେସେଜ ସକାଳର ମୁଡ ଖରାପ କରିଦେଲା ଏବଂ ସେହି ଅସ୍ଥିରତା ପୂରା ଦିନ ଆପଣଙ୍କ ସହ ରହିଲା।

୧୯ ଅଗଷ୍ଟ ୨୦୨୬ ପରେ ଏଭଳି ଭୁଲ ବୁଝାମଣାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଜ୍ୟୋତିଷୀୟ ଗଣନା ଏବଂ ପଞ୍ଜିକା ଅନୁସାରେ, ଏହି ଦିନ ଦେବଗୁରୁ ବୃହସ୍ପତି ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ। ଏହି ଗୋଚର ବ୍ୟକ୍ତିଙ୍କ ଚିନ୍ତାଧାରାକୁ ଅଧିକ ଗଭୀର କରିପାରେ। ତେବେ କୌଣସି ମେସେଜ, ସନ୍ଦେହ କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟକୁ ମନରେ ଧରି ରଖିବାର ପ୍ରବୃତ୍ତି ମଧ୍ୟ ବଢ଼ିପାରେ। ବିଶେଷକରି ଯେଉଁମାନଙ୍କର ସକାଳ ମୋବାଇଲ ଦେଖିବାରୁ ଆରମ୍ଭ ହୁଏ, ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ।

ଦେବଗୁରୁ ବୃହସ୍ପତି ବର୍ତ୍ତମାନ ନିଜର ଉଚ୍ଚ ରାଶି କର୍କଟରେ ଅବସ୍ଥିତ ଅଛନ୍ତି। ଜ୍ୟୋତିଷ ଅନୁସାରେ ଗୁରୁଙ୍କୁ ଜ୍ଞାନ, ବିବେକ, ଶିକ୍ଷା ଏବଂ ସଠିକ ନିଷ୍ପତ୍ତିର କାରକ ବୋଲି ମନେ କରାଯାଏ। ଏବେ ଗୁରୁ ଯେଉଁ ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି, ତାହାର ସ୍ବାମୀ ହେଉଛନ୍ତି ବୁଧ।

ବୁଧଙ୍କ ସମ୍ପର୍କ ମେସେଜ, କଥାବାର୍ତ୍ତା, ଇଣ୍ଟରନେଟ, ମିଡିଆ ଏବଂ ସୂଚନା ସହ ଥିବା ବୋଲି ଜ୍ୟୋତିଷରେ ମନେ କରାଯାଏ। ଅନ୍ୟପଟେ ଆଶ୍ଳେଷା ନକ୍ଷତ୍ରର ପ୍ରକୃତି କୌଣସି ଚିନ୍ତା କିମ୍ବା କଥାକୁ ମାନସିକ ଭାବେ ଧରି ରଖିବା ସହ ଜଡ଼ିତ ବୋଲି କୁହାଯାଏ। ଏଭଳି ସ୍ଥିତିରେ ଗୁରୁଙ୍କ ଏହି ଗୋଚର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଉଛିଆପଣଙ୍କ ପାଖକୁ ଅନେକ ସୂଚନା ଆସିବ, କିନ୍ତୁ ତାହାର ସଠିକ ଅର୍ଥ ବୁଝିବା ସବୁବେଳେ ସହଜ ହୋଇନପାରେ।

ସକାଳୁ ଉଠିବା ମାତ୍ରେ ମୋବାଇଲ ଦେଖିଲେ ଦିନର ପ୍ରଥମ ଚିନ୍ତା ଆଉ ଆପଣଙ୍କ ନିଜସ୍ବ ରହେ ନାହିଁ। କୌଣସି ମେସେଜ, ଇ-ମେଲ, ପୋଷ୍ଟ କିମ୍ବା ନକାରାତ୍ମକ ଖବର ଆପଣଙ୍କ ଦିନର ମୁଡ କିପରି ରହିବ, ତାହା ନିର୍ଦ୍ଧାରଣ କରିଦେଇପାରେ। ଆଶ୍ଳେଷାର ପ୍ରଭାବରେ ଏହି ପ୍ରଥମ ସୂଚନା ଦୀର୍ଘ ସମୟ ପର୍ଯ୍ୟନ୍ତ ମନରେ ଘୂରି ବୁଲିପାରେ।

ସକାଳୁ ମସ୍ତିଷ୍କ ସମ୍ପୂର୍ଣ୍ଣ ସକ୍ରିୟ ହେବା ପୂର୍ବରୁ କୌଣସି ଗୁରୁତ୍ୱପୂର୍ଣ୍ଣ ମେସେଜ୍ର ଉତ୍ତର ଦେବା ଦ୍ୱାରା ଭୁଲ ବୁଝାମଣା ବଢ଼ିପାରେ। ସାମ୍ନା ବ୍ୟକ୍ତିଙ୍କ ସାଧାରଣ କଥା ମଧ୍ୟ ଆପଣଙ୍କୁ ରାଗ କିମ୍ବା ଟାହିଟାପରା ଭଳି ଲାଗିପାରେ। ବିଶେଷକରି ଅଫିସ, ବ୍ୟବସାୟ ଏବଂ ସମ୍ପର୍କ ସହ ଜଡ଼ିତ ମେସେଜ୍ର ଉତ୍ତର କିଛି ସମୟ ଅପେକ୍ଷା କରି ଦେବା ଭଲ।

କାହାର ସଫଳତା, ନୂଆ ଚାକିରି, ଦାମୀ କିଣାକିଣି କିମ୍ବା ଖୁସିର ଫଟୋ ଦେଖି ନିଜ ଜୀବନ ଅସମ୍ପୂର୍ଣ୍ଣ ଲାଗିପାରେ। ଆଶ୍ଳେଷା ନକ୍ଷତ୍ରର ମାନସିକ ପ୍ରଭାବ ଯୋଗୁଁ ସକାଳେ ସୃଷ୍ଟି ହୋଇଥିବା ଏହି ଭାବନା ପୂରା ଦିନ ଆତ୍ମବିଶ୍ୱାସକୁ ପ୍ରଭାବିତ କରିପାରେ। ମନେ ରଖନ୍ତୁ, ସୋସିଆଲ ମିଡିଆରେ ଦେଖାଯାଉଥିବା ଚିତ୍ର ସମ୍ପୂର୍ଣ୍ଣ ସତ୍ୟ ନୁହେଁ।

ଗୁରୁ-ବୁଧଙ୍କ ସମ୍ପର୍କ ଜ୍ଞାନ ଏବଂ ସୂଚନା ସହ ରହିଛି ବୋଲି ଜ୍ୟୋତିଷରେ କୁହାଯାଏ। ଅନ୍ୟପଟେ ଆଶ୍ଳେଷା ନକ୍ଷତ୍ର ଲୁଚି ରହିଥିବା କଥାକୁ ମଧ୍ୟ ପ୍ରତିନିଧିତ୍ୱ କରେ। ତେଣୁ ଭାଇରାଲ ପୋଷ୍ଟ, ନିବେଶ ପରାମର୍ଶ, ଚାକିରି ସମ୍ପର୍କିତ ଖବର କିମ୍ବା କୌଣସି ବ୍ୟକ୍ତିଙ୍କ ବିଷୟରେ ଶୁଣିଥିବା କଥାକୁ ତୁରନ୍ତ ସତ ବୋଲି ମାନନ୍ତୁ ନାହିଁ। ଯାଞ୍ଚ ନକରି ଏହାକୁ ଆଗକୁ ପଠାଇବା ଦ୍ୱାରା ଆପଣଙ୍କ ଛବି ଏବଂ ସମ୍ପର୍କ ଉଭୟ ପ୍ରଭାବିତ ହୋଇପାରେ।

ଛାତ୍ରୀଛାତ୍ର, ଶିକ୍ଷକ, ସାମ୍ବାଦିକ, ଲେଖକ, କଣ୍ଟେଣ୍ଟ କ୍ରିଏଟର୍‌, ବ୍ୟବସାୟୀ ଏବଂ ନିୟମିତ ଭାବେ ଅନଲାଇନ କାମ କରୁଥିବା ଲୋକମାନେ ଏହି ସମୟରେ ନିଜର ଡିଜିଟାଲ ଅଭ୍ୟାସ ଉପରେ ଧ୍ୟାନ ଦେବା ଉଚିତ। କର୍କଟ ରାଶି ଏବଂ ଆଶ୍ଳେଷା ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକମାନେ ମଧ୍ୟ ଭାବପ୍ରବଣ ହୋଇ ତୁରନ୍ତ ପ୍ରତିକ୍ରିୟା ଦେବାରୁ ଦୂରେଇ ରହିବା ଉଚିତ।

ଯେଉଁମାନଙ୍କ ଜନ୍ମକୁଣ୍ଡଳୀରେ ବୁଧ, ଗୁରୁ କିମ୍ବା ଚନ୍ଦ୍ରମା ଦୁର୍ବଳ ରହିଛନ୍ତି, ସେମାନେ ମେସେଜର ଭୁଲ ଅର୍ଥ ବାହାର କରିବା, ଛୋଟ କଥାରେ ସନ୍ଦେହ କରିବା ଏବଂ ତରବରିଆ ଭାବେ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ। ତେବେ ଗୋଚରର ପ୍ରକୃତ ପ୍ରଭାବ ସମ୍ପୂର୍ଣ୍ଣ ଜନ୍ମକୁଣ୍ଡଳୀ ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ହୋଇପାରେ।

 

Odisha’s No.1 Odia Daily

Share