ଅବିଶ୍ୱସନୀୟ କ୍ୟାଚ୍‌ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍‌, ସ୍ତବ୍ଧ ହୋଇଗଲେ କ୍ରିକେଟ୍‌ପ୍ରେମୀ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କ ଏହି ଚମତ୍କାର ଫିଲ୍ଡିଂର ଶିକାର ହୋଇଛନ୍ତି ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟର ଟମ ଲାଥମ।
ଇଡେନ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ୧୭ତମ ଓଭରର ଶେଷ ବଲ୍‌ରେ ଏହି ରୋମାଞ୍ଚକର ଘଟଣା ଘଟିଥିଲା। ଗୁରନୁର ଏକ ଫୁଲ ଲେନ୍ଥ ବଲ ପକାଇଥିଲେ। ବଲ୍‌ଟି ପିଚ୍‌ରେ ପଡ଼ି ଅଫ ଷ୍ଟମ୍ପ ବାହାରକୁ ଯାଉଥିଲା। ଏହାକୁ ଡ୍ରାଇଭ କରିବାକୁ ଯାଇଥିଲେ ଟମ ଲାଥମ। କିନ୍ତୁ ବ୍ୟାଟ୍‌ ଏଜ ଲାଗି ବଲ୍‌ଟି ଉପରକୁ ଉଠିଯାଇଥିଲା। ଏହି ସୁଯୋଗକୁ ହାତଛଡ଼ା ନ କରି ଗୁରନୁର ନିଜ ବାମ ହାତରେ ଏକ ଚମତ୍କାର କ୍ୟାଚ ଧରିଥିଲେ। ତାଙ୍କର ଏହି ଅସାଧାରଣ ପ୍ରଦର୍ଶନ ଦେଖି ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କ ସହ କ୍ରିକେଟପ୍ରେମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲାଣ୍ଡ ଦଳ ଟମ ଲାଥମଙ୍କଠାରୁ ଏକ ବଡ଼ ଇନିଂସର ଆଶା ରଖିଥିଲା। କିନ୍ତୁ ସେ ଏହି ଆଶା ପୂରଣ କରିପାରି ନ ଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଲାଥମ ମାତ୍ର ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ୩ ରନ କରିଥିଲେ। ୨୭.୨୭ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରୁଥିବା ଲାଥମ ୧୭ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ସେତେବେଳେ ନ୍ୟୁଜିଲାଣ୍ଡର ଦଳୀୟ ସ୍କୋର ୮୪ ରନ ଥିଲା। ଗୁରନୁରଙ୍କ ଏହି କ୍ୟାଚ ଭାରତୀୟ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲା।

ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟର ଟମ ଲାଥମ ଦିନିକିଆ କ୍ରିକେଟ୍‌ରେ ଦୀର୍ଘ ଦିନ ଧରି ନିଜର ଦକ୍ଷତା ପ୍ରମାଣିତ କରିଆସିଛନ୍ତି। ସେ ଏପର୍ଯ୍ୟନ୍ତ ୧୭୨ଟି ଦିନିକିଆ ମ୍ୟାଚ ଖେଳି ୧୫୯ଟି ଇନିଂସ ମୋଟ ୪୬୬୭ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ୮ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ରହିଛି। ଦିନିକିଆ କ୍ରିକେଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୪୫ ରନ। ତେବେ ପ୍ରଥମ ଦିନିକିଆରେ ଗୁରନୁରଙ୍କ ଚମତ୍କାର କ୍ୟାଚ ଯୋଗୁ ତାଙ୍କୁ ଶୀଘ୍ର ପ୍ୟାଭିଲିୟନ ଫେରିବାକୁ ପଡ଼ିଛି।

Dharitri – Odisha’s No.1 Odia Daily

 

Share