ଉଇକେଟ୍‌ ନେବା ପରେ ରାଗିକି ପଞ୍ଚମ ହୋଇଗଲେ ଗୁରନୁର, ଦୌଡ଼ିଯାଇ କୋହଲି…ଦେଖନ୍ତୁ VIDEO

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ମଇଦାନରେ ଦେଖିବାକୁ ମିଳିଥିଲା ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ। ନ୍ୟୁଜିଲାଣ୍ଡର ଓପନର୍‌ ଟିମ ସିଫର୍ଟଙ୍କୁ ଆଉଟ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର୍‌ ଗୁରନୁର ବରାର ଆକ୍ରମଣାତ୍ମକ ଢଙ୍ଗରେ ସେଣ୍ଡ-ଅଫ ଦେଇଥିଲେ। ପରିସ୍ଥିତି ଗରମ ହେଉଥିବା ଦେଖି ଅଭିଜ୍ଞ ବ୍ୟାଟର୍‌ ବିରାଟ କୋହଲି ତୁରନ୍ତ ହସ୍ତକ୍ଷେପ କରି ଗୁରନୁରଙ୍କୁ ସାଇଫର୍ଟଙ୍କଠାରୁ ଦୂରେଇ ନେଇଥିଲେ।

ଭାରତକୁ ପ୍ରଥମ ଉଇକେଟ ପାଇଁ ୧୨ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ୧୨ତମ ଓଭରର ଶେଷ ବଲ୍‌ରେ ଗୁରନୁର ୧୪୪ କିମି ବେଗରେ ଏକ ଶର୍ଟ ବଲ ପକାଇଥିଲେ। ସେତେବେଳକୁ ୫୮ ରନ କରି କ୍ରିଜ୍‌ରେ ଜମିଥିବା ସିଫର୍ଟ ବଲ୍‌ଣ ଗତି ଓ ଉଚ୍ଚତାକୁ ଠିକ ଭାବେ ଆକଳନ କରିପାରି ନ ଥିଲେ। ପୁଲ ସଟ ଖେଳିବାକୁ ଯାଇ ବଲ୍ଟି ତାଙ୍କ ବ୍ୟାଟ୍‌ର ଉପର ଭାଗରେ ବାଜି ଉପରକୁ ଉଠିଥିଲା। ଉଇକେଟ୍‌କିପର ଈଶାନ କିଶନ ପଛକୁ ବାମପଟେ ଦୌଡ଼ି ଚମତ୍କାର କ୍ୟାଚ ଧରିଥିଲେ।

କ୍ୟାଚ ଧରାଯିବା ପରେ ଗୁରନୁର ଉତ୍ସାହିତ ହୋଇ ସିଧା ସିଫର୍ଟଙ୍କ ପାଖକୁ ଯାଇ ଚିତ୍କାର କରିଥିଲେ। ଏହାକୁ ନେଇ ମଇଦାନରେ ଉତ୍ତେଜନା ବଢ଼ିଥିଲା। ପରିସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ବିରାଟ କୋହଲି ତୁରନ୍ତ ଦୌଡ଼ି ଆସି ଗୁରନରଙ୍କୁ ଧରି ସିଫର୍ଟଙ୍କଠାରୁ ଅଲଗା କରିଥିଲେ। ଏହି ସମୟରେ ମଇଦାନରେ ଥିବା ଅମ୍ପାୟାର କ୍ରିସ ବ୍ରାଉନ ମଧ୍ୟ ହସ୍ତକ୍ଷେପ କରି ଗୁରନୁରଙ୍କ ସହ କଥା ହୋଇଥିଲେ ଏବଂ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ।
ଗୁରନୁରଙ୍କ ଏଭଳି ଆକ୍ରମଣାତ୍ମକ ସେଣ୍ଡ-ଅଫ ତାଙ୍କ ପାଇଁ ମହଙ୍ଗା ପଡ଼ିପାରେ। ମ୍ୟାଚ ରେଫରି ଏହି ଘଟଣାକୁ ଗୁରୁତ୍ୱର ସହ ନେଲେ ଆଇସିସି ଆଚରଣ ସଂହିତା ଅନୁଯାୟୀ ଯୁବ ଭାରତୀୟ ବୋଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

 

Dharitri – Odisha’s No.1 Odia Daily

 

Share