ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍ ୩’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏହି ଅଭିନେତା ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଘରର ବାଲକୋନିରେ ନିଆଁ ଲାଗିଥିବା ଫଟୋ ସେୟାର କରିବା ସହ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ।
ଗୁରଫତେହଙ୍କ କହିବା ଅନୁସାରେ, ବାଣ ଯୋଗୁଁ ତାଙ୍କ ଘରର ବାଲକୋନି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାସହ ବାଲକୋନି ପାଖରେ ଥିବା ଏକ ରୁମ୍ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ ସେ ବାଣ ଫୁଟାଉଥିବା ଲୋକଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକଙ୍କ ଏଭଳି ମୂର୍ଖତା ଆଶ୍ଚର୍ଯ୍ୟଜନକ। ବାଣ ଯୋଗୁଁ ତାଙ୍କର ପୂରା ବାଲକୋନି ନଷ୍ଟ ହୋଇଯାଇଛି। ବାଣ ଯୋଗୁଁ ସହରରେ ନିଆଁ ଲାଗୁଛି ଏବଂ ମୁମ୍ବାଇ ଏକ ‘ଗ୍ୟାସ୍ ଚାମ୍ବର’ରେ ପରିଣତ ହୋଇଛି ବୋଲି ସେ ମତ ଦେଇଛନ୍ତି। ନିଜ ପୋଷ୍ଟରେ ସେ ବିଏମ୍ସି ଓ ମୁମ୍ବାଇ ପୋଲିସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ଘରର କ୍ଷୟକ୍ଷତି ସହ ଦୀପାବଳି ପରେ ମୁମ୍ବାଇର ବାୟୁର ମାନକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଅଭିନେତା। ତେବେ ତାଙ୍କ ଘରେ କେଉଁ ପରିସ୍ଥିତିରେ ନିଆଁ ଲାଗିଥିଲା, ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହାନ୍ତି। ତାଙ୍କ ପୋଷ୍ଟ ପରେ ପ୍ରଶଂସକମାନେ ଘରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।