Categories: ଜାତୀୟ

ଗୁପ୍‌କାର ମେଣ୍ଟ ଆଗରେ

ଶ୍ରୀନଗର, ୨୩।୧୨ : ଜମ୍ମୁ-କଶ୍ମୀର ଜିଲା ଉନ୍ନୟନ ପରିଷଦ (ଡିଡିସି) ନିର୍ବାଚନର ଭୋଟ ଗଣନା ମଙ୍ଗଳବାର ଜାରି ରହିଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ରଶାସିିତ ଅଞ୍ଚଳରେ ପରିଣତ କରିବା ପରେ ଏହା ଥିଲା ପ୍ରଥମ ନିର୍ବାଚନ। ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପ୍‌କାର ମେଣ୍ଟ ଆଗରେ ରହିଛି। ଫାରୁକ୍‌ଙ୍କ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଓ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ଗଠିତ ଗୁପ୍‌କାର ମେଣ୍ଟ ୧୧୩ ଆସନରେ ଆଗରେ ରହିଥିବାବେଳେ ଭାଜପା ୬୯ଟିରେ ଓ କଂଗ୍ରେସ ୨୩ ଆସନରେ ଆଗୁଆ ଅଛି। ୨୮୦ ଆସନରେ ଭୋଟଗଣତି ଜାରି ରହିଛି। ନିର୍ବାଚନରେ ଇଭିଏମ୍‌ ପରିବର୍ତ୍ତେ ବାଲଟ ପେପର ବ୍ୟବହାର କରାଯାଇଥିବାରୁ ଫଳାଫଳ ବିଳମ୍ବିତ ହୋଇପାରେ। ଗତ ୨୫ ଦିନରେ ୮ଟି ପର୍ଯ୍ୟାୟରେ ଡିଡିସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଆଞ୍ଚଳିକ ଦଳଗୁଡ଼ିକର ମେଣ୍ଟ ସତ୍ତ୍ୱେ ଭାଜପା ପ୍ରାର୍ଥୀ ଐଜାଜ ହୁସେନ୍‌ ଶ୍ରୀନଗରର ଖୋନ୍‌ମୋହ-୨ ଡିଡିସି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ବନ୍ଦିପୋରା ଜିଲାର ତୁଲାଇଲ୍‌ ଆସନରୁ ଦଳୀୟ ପ୍ରାର୍ଥୀ ଐଜାଜ୍‌ ଅହମଦ ଖାନ୍‌ ନିର୍ବାଚିତ ହୋଇଛନ୍ତି।

Share