Categories: ଜାତୀୟ

ଆଇଏସ୍‌ ଆତଙ୍କବାଦୀଙ୍କ ଘରେ ବାରୁଦ ଗଦା: ସ୍ତ୍ରୀ-ପିତା-ଭାଇ କହିଲେ ଏପରି…

ନୂଆଦିଲ୍ଲୀ, ୨୩।୮: ଦିଲ୍ଲୀର ଧୋଲା କୂଆଁ ଅଞ୍ଚଳରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଘରେ ଚଢ଼ାଉ ସମୟରେ ମୃତ୍ୟୁର ସରଞ୍ଜାମ ଜବତ ହୋଇଛି। ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଏସବୁ ୟୁସୁଫ୍‌ ଠୁଳ କରିଥିବା କୁହାଯାଉଛି। ଅଳ୍ପ ଅଳ୍ପ କରି ୨ ବର୍ଷ ଧରି ବାରୁଦ ଘରକୁ ୟୁସୁଫ୍‌ ଆଣୁଥିବା ନେଇ ତାଙ୍କ ସ୍ତ୍ରୀ ଆୟେଶା ପୋଲିସକୁ କହିଛନ୍ତି। ତେବେ ଏସବୁ ସେ କାହିଁକି ଆଣୁଥିଲେ ସେ ଜାଣି ନ ଥିବା କହିଛନ୍ତି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଚମଡ଼ା ବେଲ୍ଟ, ଦୁଇଟି ବିସ୍ଫୋରକ ଜ୍ୟାକେଟ, ବମ୍‌ ରଖିବା ପ୍ୟାକେଟ୍‌, ୯ କିଲୋ ବାରୁଦ, ୩ଟି ସିଲିଣ୍ଡ୍ରିକାଲ ମେଟାଲ ବକ୍ସ୍‌, ଟାର୍ଗେଟ୍‌ ଅଭ୍ୟାସ ପାଇଁ ଉଡ଼ନ୍‌ କାର୍ଡ, ଆଇଏସ୍‌ ଆତଙ୍କବାଦୀ ସଂଗଠନର ପତାକା, ୩୦ରୁ ଅଧିକ ବଲ୍‌ ବିୟରିଂ ଆଦି ରହିଛି। ତାଙ୍କ ପୂର୍ବ ପୁରୁଷମାନେ ଯେଉଁ ଗୌରବ ଅର୍ଜନ କରିଥିଲେ ତାହା ପୁଅ ନଷ୍ଟ କରିଥିବା ୟୁସୁଫ୍‌ଙ୍କ ପିତା ଓ୍ବକିଲ୍‌ ଅହମ୍ମଦ୍‌ ପୋଲିସକୁ କହିଛନ୍ତି। ୟୁସୁଫ୍‌ କଳା ରଙ୍ଗର ପତାକା ଘରକୁ ଆଣିଥିବା ତାଙ୍କ ଭାଇ ଆକିବ୍‌ କହିଛନ୍ତି। ସେ ଏହାକୁ ପ୍ରଥମେ ଏକ କଳାକନା ବୋଲି ଭାବୁଥିଲେ। ତେବେ ଏହା ଆଇଏସ୍‌ ଆତଙ୍କବାଦୀ ସଂଗଠନର ପତାକା ବୋଲି ସେ ଏବେ ପୋଲିସଠାରୁ ଜାଣିଥିବା କହିଛନ୍ତି।

Share