ବାପାଙ୍କ ମୁଣ୍ଡରେ ବନ୍ଧୁକ, ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଲେ ନଗଦ ଟଙ୍କା ସହ ସୁନାଅଳଙ୍କାର

ଭଦ୍ରକ,୨୩ା୫(ସନାତନ ରାଉତ): ବାପାଙ୍କ ମୁଣ୍ଡରେ ବନ୍ଧୁକ ଓ ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଇଛନ୍ତି ନଗଦ ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର। ଶୁକ୍ରବାର ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆମ୍ବରଳି ପଞ୍ଚାୟତ ତଳାଙ୍ଗ ଗ୍ରାମରେ ଘଟିଛି ଏହି ଲୁଟ୍‌।

ସୂଚନା ମୁତାବକ, ଉକ୍ତ ଗ୍ରାମର ଗଙ୍ଗାଧର ମଲିକ ଚରମ୍ପା କେନାଲ ରୋଡ୍‌ରେ ଘର କରି ରହିଛନ୍ତି। ଶୁକ୍ରବାର ରାତିରେ ଗଙ୍ଗାଧର ଓ ତାଙ୍କ ପରିବାର ବାରଣ୍ଡାରେ ବସି ଖାଉଥିଲେ। ସେହି ସମୟରେ ୮ ରୁ ୯ ଜଣ ଲୁଟେରା ତାଙ୍କ ଘରକୁ ପଶି ଗଙ୍ଗାଧରଙ୍କ ମୁଣ୍ଡରେ ବନ୍ଧୁକ ଓ ତାଙ୍କ ପୁଅ ବେକରେ ଛୁରି ଲଗାଇ ଭୟଭୀତ କରି ଘର ଭିତରକୁ ନେଇଥିଲେ। ବାପ ପୁଅଙ୍କ ସମେତ ଗଙ୍ଗାଧରଙ୍କ ସ୍ତ୍ରୀଙ୍କୁ ଗୋଟିଏ ଘରେ ଅଟକ ରଖି ଜମି କିଣିବା ପାଇଁ ରଖିଥିବା ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ନେଇ ବାହାର ପଟୁ କବାଟ ବନ୍ଦ କରି ପଳାଇ ଯାଇଥିଲେ। ବାହାର ଲୋକଙ୍କୁ ଡାକିବା ପରେ ସେମାନେ କବାଟ ଖୋଲିଥିଲେ। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶନିବାର ପୂର୍ବାହ୍ନରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି।

Dharitri – Odisha’s No.1 Odia Daily

Share