ବିପଦସଙ୍କୁଳ ଅବସ୍ଥାରେ ଗୁମୁକା କଲଭର୍ଟ

ପୋଟେରୁ, ୨୦।୪: (ଡି.ଏନ୍‌.ଏ.) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ କାଲିମେଳା ବ୍ଲକର ଗୁମୁକାଠାରେ ନିର୍ମିତ ରାସ୍ତାର କଲଭର୍ଟ ଏବେ ବିପଦସଙ୍କୁଳ ହୋଇପଡ଼ିଛି। ଏହା ଉପରେ ଅନ୍ୟ ଉପାୟ ନ ପାଇ ୪ରୁ ଊର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀ ଯାତାୟାତ କରୁଛନ୍ତି। ଏମ୍‌ପିଭି-୧୧ଠାରୁ କଲୋନିଗୁଡ଼ାକୁ ସଂଯୋଗ କରୁଥିବା ଏହି ଗୁମୁକା କଲଭର୍ଟ ଉପରେ ପ୍ରତିଦିନ ବହୁ ଯାନବାହନ ମଧ୍ୟ ଚଳାଚଳ କରୁଛି। ଏନେଇ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳରେ ବାଧାପ୍ରାପ୍ତ ହେଉଥିବାରୁ ଲୋକେ ହଇରାଣ ହେଉଛନ୍ତି। ଶୀଘ୍ର ଏହି କଲଭର୍ଟ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଆର୍‌ଡି ଯନ୍ତ୍ରୀ ପ୍ରକାଶ ସେଠୀଙ୍କୁ ପଚାରିବାରୁ ସେ କହିଲେ, ସେହି କଲଭର୍ଟ କାମ ବ୍ଲକ କରିବା କଥା। କାରଣ ରାସ୍ତା ନିର୍ମାଣ ବେଳେ କଲଭର୍ଟଟି ଆମ ଏଷ୍ଟିମେଟ୍‌ରେ ନ ଥିବାରୁ ଏହା କରାଯାଇନାହିଁ। ତେବେ ଦିନେ ଦୁଇ ଦିନ ମଧ୍ୟରେ ଏସ୍‌ଡିଓଙ୍କ ସହ ଆଲୋଚନାକରି ଟେଣ୍ଡର ଡାକି ଏ ଦିଗରେ ପଦକ୍ଷେପ ନେବୁ ବୋଲି ସେ ସୂଚନା ଦେଇଛନ୍ତି।