ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରୁ ବୁଡ଼ାଗୁଡାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀ ଡାଇଭର୍ଶନ ରାସ୍ତାକୁ ଆହୁରି ସୁରକ୍ଷିତ ପାଇଁ ୨ ପାର୍ଶ୍ୱରେ ବାଲି ବସ୍ତା ଦିଆଯାଉଛି।
ପ୍ରକାଶ ଯେ, ଉକ୍ତ ଗୁମାଡି ନଦୀରେ ବର୍ଷା ପୂର୍ବରୁ ପୁରୁଣା ପୋଲକୁ ଭଙ୍ଗାଯାଇ ନୂତନ ପୋଲ କାର୍ଯ୍ୟ ଚାଲିଛି। ତେବେ ୨ ପାର୍ଶ୍ୱରେ ପିଲାର କାର୍ଯ୍ୟ ସରିଥିବା ବେଳେ ସ୍ଲାବ କାର୍ଯ୍ୟ ସରିପାରି ନ ଥିଲା। ଫଳରେ ଏକ ଡାଇଭର୍ଶନ ରାସ୍ତାରେ ଲୋକଙ୍କ ଯାତାୟାତ ସହ ଯାତ୍ରୀବାହୀ ବସ ଓ ଅନ୍ୟ ସମସ୍ତ ପ୍ରକାର ଗାଡି ମୋଟର ଚଳାଚଳ କରୁଥିଲା। ଚଳିତ ଲଘୁଚାପରେ ଉକ୍ତ ଡାଇଭର୍ଶନ ରାସ୍ତା ଧୋଇହୋଇଯାଇଥିଲା ଏବଂ ପ୍ରାୟ ୧୫ ଦିନ ଧରି ସିମନବାଡି -ବୁଡ଼ାଗୁଡା ବିଛିନ୍ନ ହେବା ସହ ଉକ୍ତ ବ୍ଲକର ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡା ଏବଂ ଗୁମିକିଆ ପଞ୍ଚାୟତକୁ ଯାତାୟାତ ବନ୍ଦ ହୋଇଯାଇଥିଲା। ତେବେ ଅଞ୍ଚଳବାସୀ ଆନ୍ଦୋଳନର ଚେତାବନୀ ଦେବା ପରେ ଉକ୍ତ ରାସ୍ତା ମରାମତି କରାଯାଇ ଗାଡିମୋଟର ଛଡ଼ାଯାଇଥିଲା। ତେବେ ଉକ୍ତ ଅଞ୍ଚଳରେ ଦିନରେ ଖରା ଓ ଅପରାହ୍ନରେ ବର୍ଷା ଲାଗିରହିଥିବାରୁ ପୁନର୍ବାର ଡାଇଭର୍ଶନ ଧୋଇଯିବା ଆଶଙ୍କାରେ ରାସ୍ତାର ୨ ପାର୍ଶ୍ୱରେ ସୁରକ୍ଷା ପାଇଁ ବାଲିବସ୍ତା ପକାଯାଉଥିବା ପୂର୍ତ୍ତ ବିଭାଗର ସହକାରୀ ନିର୍ବହୀ ଯନ୍ତ୍ରୀ ହରିହର ଦାସ କହିଛନ୍ତି।