Categories: ଖେଳ

ଗୁକେଶ ପ୍ଲେୟର ଅଫ୍‌ ଦି ଇୟର

ଆବୁଧାବି, ୩ା୩ (ପି.ଟି.):ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏସିଆନ ଚେସ୍‌ ଫେଡେରେଶନ (ଏସିଏଫ୍‌) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଗତବର୍ଷ ମହାବଳିପୁରମରେ ଅନୁଷ୍ଠିତ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରେ ରେକର୍ଡ ବ୍ରେକିଙ୍ଗ ୯/୧୧ ସ୍କୋର ସହ ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗତବର୍ଷ ମାର୍ଚ୍ଚରେ ଗୁକେଶ ୬ଷ୍ଠ ଭାରତୀୟ ଭାବେ ୨୭୦୦ ୟେଲୋ ରେଟିଙ୍ଗ ଅଙ୍କ ହାସଲ କରିଥିଲେ। ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଭାବେ ସେ ୨୭୦୦ ରେଟିଂ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌) ‘ମୋଷ୍ଟ ଆକ୍ଟିଭ ଫେଡେରେଶନ’ ପୁରସ୍କାର ଲାଭ କରିଛି। ଏଠାରେ ଏସିଏଫ୍‌ର ବାର୍ଷିକ ସମ୍ମିଳନୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ ବର୍ଷ ମାତ୍ର ୪ ମାସ ମଧ୍ୟରେ ଅଗଷ୍ଟରେ ସଫଳତାର ସହ ଫିଡେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ କରିପାରିଥିବାରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ମିଳିଛି। କୋନେରୁ ହମ୍ପି, ଡି. ହାରିକା, ଆର୍‌. ବୈଶାଳୀ, ଟାନିଆ ସଚଦେବ ଓ ଭକ୍ତି କୁଲ୍‌କର୍ନୀଙ୍କୁ ନେଇ ଭାରତୀୟ ମହିଳା ଦଳର ବ୍ରୋଞ୍ଜ ପଦକ ସଫଳତା ପାଇଁ ବର୍ଷର ଶ୍ରେଷ୍ଠ ମହିଳା ଦଳ ପୁରସ୍କାର ଲାଭ କରିଛି। ଗ୍ରାଣ୍ଡମାଷ୍ଟର ଆର୍‌.ବି. ରମେଶ ବର୍ଷର ଶ୍ରେଷ୍ଠ ପୁରୁଷ କୋଚ୍‌ ଏବଂ ଗ୍ରାଣ୍ଡମାଷ୍ଟର ଅଭିଜିତ କୁନ୍ତେ ବର୍ଷର ଶ୍ରେଷ୍ଠ ମହିଳା କୋଚ୍‌ ବିବେଚିତ ହୋଇଛନ୍ତି।

Share