ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା

ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ଗୁଜରାଟର ଜାମନଗରରେ ଏହି ବୃହତ୍‌ ଜୁ’ ନିର୍ମାଣ କରିବ। ଏଥିଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜସଙ୍କେତ ମିଳିସାରିଥିବା କମ୍ପାନୀ ଘୋଷଣା କରିଛି। ଆର୍‌ଆଇଏଲ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ଏହା ହେଉଛି ସ୍ବପ୍ନର ପ୍ରକଳ୍ପ। ୨୮୦ ଏକର ଜମିରେ ଏହାର ନିର୍ମାଣ କରିବାକୁ ଯୋଜନା କରାଯାଇଛି।

ଆର୍‌ଆଇଏଲ୍‌ର କର୍ପୋରେଟ ଆଫେୟାର୍ସ ନିର୍ଦ୍ଦେଶକ ପରିମଲ ନାଥଓ୍ବାନି କହିଛନ୍ତି, ଜୁ’ର ନାମ ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‌କ୍ୟୁ ଆଣ୍ଡ୍‌ ରିହାଲିବିଟେଶନ କିଙ୍ଗଡମ୍‌’ ରଖାଯାଇଛି। ଏଥିଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ସ୍ବୀକୃତି ମିଳିସାରିଛି। ଏଭଳି ଏକ ପ୍ରକଳ୍ପ କରିବା ଲାଗି ଦୀର୍ଘଦିନରୁ ପରିକଳ୍ପନା କରାଯାଇଥିଲା। ତେବେ କୋଭିଡ୍‌-୧୯, ଲକ୍‌ଡାଉନ୍‌ କାରଣରୁ ଏହି ପରିଯୋଜନା ବିଳମ୍ବିତ ହୋଇଛି। ୨ବର୍ଷ ଭିତରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଆଇଆର୍‌ଏଲ୍‌ ଏକ୍‌ଜିକ୍ୟୁଟିଭ୍‌ କମିଟି ଯୋଜନା କରିଛି।

ଜାମନଗରସ୍ଥିତ ରିଲାଏନ୍ସ ରିଫାଇନରି ନିକଟରେ ଏହି ଜୁ’ ନିର୍ମାଣ କରାଯିବ। ଏଠାରେ ଭାରତ ସମେତ ପୃଥିବୀର ବିଭିନ୍ନ ସ୍ଥାନରୁ ଜୀବଜନ୍ତୁ ଆଣି ରଖାଯିବ। ଆଫ୍ରିକୀୟ ସିଂହ, ହାତୀ, କମୋଡୋ ଡ୍ରାଗନ୍‌, ପାଣି ଓଧ, ହରିଣ, ଜିରାଫ୍‌ ସମେତ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଜୀବଜନ୍ତୁ ଦର୍ଶକଙ୍କ ମନୋରଞ୍ଜନ କରିବେ। ସେହିପରି ବିଶାଳ ଆକ୍ୱାରିୟମ୍‌ରେ ୩୫୦ ପ୍ରଜାତିର ମାଛ ମଧ୍ୟ ଦେଖିବାକୁ ମିଳିବ। ଜୀବଜନ୍ତୁ, ସରୀସୃପ, କୀଟପତଙ୍ଗଙ୍କ ପ୍ରଜାତି ଅନୁଯାୟୀ ଜୁ’କୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯିବ। ଏଥିରେ ଫରେଷ୍ଟ ଅଫ୍‌ ଇଣ୍ଡିଆ, ଫ୍ରଗ୍‌ ହାଉସ୍‌, ଇନ୍‌ସେଟ୍‌ ଲାଇଫ୍‌, ଡ୍ରାଗନ୍ସ ଲ୍ୟାଣ୍ଡା, ଏକ୍ସୋଟିକ୍‌ ଆଇଲାଣ୍ଡ ରହିବ। ଜିଓର ଅଦ୍ଭୁତପୂର୍ବ ସଫଳତା ପରେ ଜୁ’ ଆଡ଼କୁ ପାଦ ବଢ଼ାଇଛି ରିଲାଏନ୍ସ। ଏହା ସଫଳ ହେଲେ ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ସମେତ ମୁଦ୍ରା ମଧ୍ୟ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share