ମିଲରଙ୍କ ବିସ୍ଫୋରକ ବ୍ୟାଟିଂ: ଚେନ୍ନାଇକୁ ହରାଇଲା ଗୁଜରାଟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ ରେ ଗୁଜରାଟ ଟାଇଟାନ୍ସ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୫ ଉଇକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା। ଫଳରେ ଗୁଜରାଟକୁ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ଜବାବରେ ଗୁଜରାଟ ୭ ଉଇକେଟ ହରାଇ ଲଷ୍ୟ ହାସଲ କରିଥିଲା। ଦଳ ପକ୍ଷରୁ ଡେଭିଡ୍ ମିଲର୍ ବିସ୍ଫୋରକ ବ୍ୟାଟିଂ କରି ୫୧ ବଲରୁ ୯୪ ରନ୍ ର ପାଳି ଖେଳିଥିଲେ। ସେହିପରି ଗୁଜରାଟର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଉଥିବା ରଶିଦ ଖାନ୍ ୨୧ ବଲରୁ ୪୦ ରନ୍ କରିଥିଲେ।
ଚେନ୍ନାଇକୁ ଇନିଂସ ଆରମ୍ଭରୁ ଦୁଇଟି ଝଟ୍‌କା ଲାଗିବା ପରେ ଅମ୍ବତି ରାଇଡୁ ରିତୁରାଜ ଗାଇକ୍ୱାଡଙ୍କ ସହ ଇନିଂସ ସମ୍ଭାଳିଥିଲେ। ତୃତୀୟ ଉଇକେଟ ପାଇଁ ୫୬ଟି ବଲରେ ଉଭୟ ୯୨ ରନର ଭାଗିଦାରୀ କରିଥିଲେ। ରିତୁରାଜ ଫର୍ମକୁ ଫେରି ଚଳିତ ସିଜିନ୍‌ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ମୋଟ ଉପରେ, ଏହା ତାଙ୍କର ଅଷ୍ଟମ ଅର୍ଦ୍ଧଶତକ ଥିଲା। ଏଥି ସହିତ, ରାଇଡୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଚାରି ଚୌକା ଓ ଦୁଇଟି ଛକା ସହାୟତାରେ ୩୧ଟି ବଲରେ ରାଇଡୁ ୪୬ ରନ କରି ଆଉଟ୍‌ ହୋଇଥିଲେ। ଏଥିସହ ରିତୁରାଜଙ୍କୁ ୪୮ଟି ବଲରେ ୭୩ ରନ କରିଥିଲେ। ଏଥିରେ ପାଞ୍ଚ ଚୌକା ଓ ପାଞ୍ଚ ଛକା ସାମିଲ ଥିଲା। ୧୭ଟି ବଲରୁ ଶିବମ ଦୁବେ ୧୯ ରନ ସଂଗ୍ରହ କରିଥିଲେ ଏବଂ ଅଧିନାୟକ ରବିନ୍ଦ୍ର ଜାଡେଜା ୧୨ଟି ବଲରୁ ଅପରାଜିତ ୨୨ ରନ କରିଥିଲେ। ଗୁଜରାଟ ପକ୍ଷରୁ ଅଲଜାରୀ ଜୋସେଫ ଦୁଇଟି ଉଇକେଟ ନେଇଥିଲେ। ମହମ୍ମଦ ଶାମି ଏବଂ ୟଶ ଦିନଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଗୁଜରାଟ୍ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ମଧ୍ୟରୁ ୫ଟି ରେ ଜିତିଛି। ଏଥି ସହିତ ଚେନ୍ନାଇର ଦଳ ୬ଟି ମ୍ୟାଚ ମଧ୍ୟରୁ ୫ଟିରେ ହାରିଛି।

Share