ଗୁଜୁରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଲକାନଗିରିରୁ ଗିରଫ ହେଲେ ଶିକ୍ଷକ

ମାଲକାନଗିରି/ମାଥିଲି,୩୧।୧(ଡି.ଏନ୍‌.ଏ.) ଗୁଜୁରାଟ ଜୁନିୟର କ୍ଲର୍କ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମାଲକାନଗିରି ଜିଲା କର୍ତନପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି। ଗୁଜୁରାଟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୧୮୧ ଜୁନିୟର କ୍ଲର୍କ ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ରାଜ୍ୟର ୯ ଲକ୍ଷ ୫୩ ହଜାର ପରୀକ୍ଷାର୍ଥୀ ଆବେଦନ କରିଥିଲେ। ୨୯୯୫ଟି କେନ୍ଦ୍ରରେ ପରୀକ୍ଷା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା। ଏପରିକି ଲିକ୍‌ ହୋଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଭାଇରାଲ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏପରି କି ସରକାର ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଯାଞ୍ଚ ବେଳେ କର୍ତମପାଲ୍ଲୀ ସରକାରୀ ହାଇସ୍କୁଲର ଶିକ୍ଷକ ସରୋଜ ମାଲୁ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରି ଗୁଜୁରାଟ ପଠାଇଥିଲେ ବୋଲି ଜଣାପଡିଛି। ଗୁଜୁରାଟ ପୋଲିସ ଏହାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରିସାରିଛି। ସରୋଜଙ୍କୁ ଗୁଜୁରାଟ ନେଇ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।