ଓଡ଼ିଶା ଯୁବକଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜେଇ ଚୋରା ଚାଲାଣ ରାକେଟର ଚେର ଓଡ଼ିଶାରୁ ଗୁଜରାଟକୁ ଲମ୍ବିଛି। ଚୋରା ଚାଲାଣ ରାକେଟର ମୁଖ୍ୟଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ପାଟପୁର ପୋଲିସ ସହାୟତାରେ ଘରୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ପାଟପୁର ଥାନା ସିଙ୍ଗପୁର ଗ୍ରାମର ସୁରେନ୍ଦ୍ର ପାତ୍ର ବୋଲି ପୋଲିସ କହିଛି। ଗୁଜରାଟ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରିବା ପରେ ଶନିବାର ବ୍ରହ୍ମପୁରସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ଙ୍କ କୋର୍ଟରେ ହାଜର କରିଥିଲେ। କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ ନିମନ୍ତେ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ଗୁଜରାଟର ଅହମ୍ମଦାବାଦ ସିଟି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ କିଛି ଅଭିଯୁକ୍ତଙ୍କୁ ଧରିଥିବା ଜଣାପଡ଼ିଛି। ଧରା ପଡ଼ିଥିବା ଅଭିଯୁକ୍ତମାନଙ୍କ ସୂଚନାକୁ ଭିତ୍ତି କରି ସେଠାକାର ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପୋଲିସ ଅଧିକାରୀ ଏସ୍‌ଆଇ ପି. କେ. ଭୂଟ୍ଟ ସଦଳବଳ ଶୁକ୍ରବାର ପାଟପୁର ଥାନାରେ ପହଞ୍ଚିଥିଲେ। ପାଟପୁର ପୋଲିସ ସହାୟତାରେ ଗୁଜରାଟ ପୋଲିସ ଅତର୍କିତ ଚଢ଼ାଉ କରି ସିଙ୍ଗପୁର ଗ୍ରାମରୁ ସୁରେନ୍ଦ୍ରଙ୍କୁ ଗିରଫ କରି ବିଳମ୍ବିତ ସାରେ ପାଟପୁର ଥାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତ ଜଣକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଥିବା ପାଟପୁର ପୋଲିସ କହିଛି।