Categories: ଜାତୀୟ

ଗାଁରେ ନିର୍ବାଚନ ପ୍ରଚର ବନ୍ଦ, ହେଲେ ଭୋଟ ନଦେଲେ ଦେବାକୁ ପଡିବ ଜରିମାନା

ରାଜକୋଟ,୨୪ ।୧୧: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୌତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହେଲେ ଗୁଜରାଟରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ନିର୍ବାଚନ ପ୍ରଚାର କରାଯାଇ ନ ଥାଏ । ହେଲେ ଯେଉଁମାନେ ଭୋଟ ଦେଇ ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ । ଏମିତି ନିୟମ ଉକ୍ତ ଗାଁରେ ୩୯ ବର୍ଷ ଧରି ଚାଲି ଆସିଛି । ସେଥିପାଇଁ ଏଠାକାର ଗାଁ ଲୋକେ ଭୋଟ ଦେବାକୁ ନେଇ ଶହେ ପ୍ରତିଶତ ସଚେତନ । ଏଠାରେ ପ୍ରାୟ ସବୁବେଳେ ୧୦୦ ପ୍ରତିଶତ ମତଦାନ ହୋଇଥାଏ ।
ଗୁଜରାଟରେ ୧ ଓ ୫ ଡିସେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ରାଜକୋଟରୁ ୨୦ କିଲୋମିଟର ଦୂରରେ ଥିବା ରାଜ ସାମାଧିୟାଲା ଗାଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ଏଠାକାର ଗ୍ରାାମବାସୀ ଗ୍ରାମ ବିକାଶ ସମିତି(ବିଡିସି)ର ନିୟମରେ ବନ୍ଧା । ନିୟମ ନ ମାନିଲେ ଜରିମାନା ଦେବାକୁ ପଡିଥାଏ । ଏଥିରେ ନିର୍ବାଚନ ସମୟରେ ଭୋଟ ନ ଦେବାର ମାମଲା ବି ସାମିଲ ରହିଛି । ଏବେ ପର୍ଯ୍ୟନ୍ତ ଗାଁରେ ୧୦୦ ପ୍ରତିଶତ ମତଦାନ ହେଉଛି । ଗାଁର ସରପଞ୍ଚ ବି ଗ୍ରାମବାସୀଙ୍କ ସହମତିରେ ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚ କୁହନ୍ତି ଜରିମାନା କାରଣରୁ ଗାଁରେ ୧୦ ପ୍ରତିଶତ ମତଦାନ ହୋଇଥାଏ ।
ରାଜ ସମାଧିୟାଲା ଗାଁରେ ମୋଟ ଜନସଂଖ୍ୟା ୧,୭୦୦ । ଏମାନଙ୍କ ମଧ୍ୟରୁ ୯୯୫ ଭୋଟର ରହିଛନ୍ତି । ସମସ୍ତେ ନିଜ ଇଚ୍ଛାରେ ଭୋଟ ଦେଇଥାଆନ୍ତି । ଗାଁରେ ଏକ ସମିତି ରହିଛି । ଭୋଟ ଦେବାର କିଛିଦିନ ପୂର୍ବରୁ ଏହି ସମିତି ଗ୍ରାମବାସୀଙ୍କ ଏକ ବୈଠକ ଡାକିଥାଆନ୍ତି । ଯଦି କେହି ଭୋଟ ଦେବାକୁ ଅସମର୍ଥ ଦର୍ଶାନ୍ତି ତେବେ ତାହାର ଅସଲ କାରଣ ଜଣାଇବାକୁ ପଡିଥାଏ ।
ତେବେ ଗାଁରେ ନିର୍ବାଚନ ପ୍ରଚାର ନ କରାଯିବାର ପରମ୍ପରା ୧୯୮୩ ମସିହାରୁ ଚଳି ଆସୁଛି । ଏହା ସମସ୍ତ ରାଜନେତାଙ୍କୁ ଜଣା । ରାଜନେତା ଜାଣିଛନ୍ତି ଗାଁରେ ପ୍ରଚାର କଲେ କ୍ଷତି ସହିବାକୁ ପଡିପାରେ ।
ଜଣେ ସ୍ଥାନୀୟ ବାସିନ୍ଦା କୁହନ୍ତି ଯେଉଁମାନେ ଗାଁ ପାଇଁ ଭଲ କାମ କରନ୍ତି ସେମାନଙ୍କୁ ଭୋଟ ଦିଆଯାଇଥାଏ । ହେଲେ ବ୍ୟାନର, ପୋଷ୍ଟର ଲଗାଇବାକୁ କାହାକୁ ଅନୁମତି ନାହିଁ ।

Share