ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍‌ ରେକର୍ଡ

ଟିଟିଲାଗଡ଼,୨୭ା୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ କାହ୍ନୁ ଛିଡ଼ାହୋଇ ୮୭ ସିଏମ୍‌ ଦୈର୍ଘ୍ୟ ବିଶିଷ୍ଟ ୩୪୫ ଗ୍ରାମ ଓଜନର ଏହି ଛତାକୁ ନିଜ ଆଙ୍ଗୁଠିରେ ଦୀର୍ଘ ୬ ଘଣ୍ଟା ୬ ମିନିଟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ସନ୍ତୁଳନରେ ରଖି ପାରିଥିଲେ। ପୂର୍ବରୁ ସ୍ପେନର ଖ୍ରୀଷ୍ଟିଆନ୍‌ ରୋବୋଟୋ ଲୋପେଜ ରୋରିମେଜ ୨୦୧୯ ଡିସେମ୍ବର ୨୯ରେ ୩ ଘଣ୍ଟା ୩୧ ମିନିଟ ୪୩ ସେକେଣ୍ଡ ଛତା ସନ୍ତୁଳନ କରି ଗିନିଜ୍‌ ବୁକ୍‌ ଅଫ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲେ। ରବିବାର ଟିଟିଲାଗଡ଼ କରାଟେ ସଂଘ ପକ୍ଷରୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗିନିଜ୍‌ ବିଶ୍ୱ ରେକର୍ଡ ଗାଇଡଲାଇନ ଅନୁଯାୟୀ ଭିଡିଓ ରେକର୍ଡିଂ କରାଯାଇଛି। କାର୍ଯ୍ୟକ୍ରମରେ କ୍ୟାମେରା ଫ୍ରେମ ମଧ୍ୟରେ ଅଫିସିଆଲ ଟାଇମକିପର ଭାବେ ରାଜେଶ ସ୍ବାଇଁ, ଅଜୁ ମାଝି, ଅଫିସିଆଲ ସାକ୍ଷୀ ଦେବେନ୍ଦ୍ର ଜୈନ ଏବଂ ରୋଶନ ସୌରା ନିରନ୍ତର ଭାବେ ଏହି ରେକର୍ଡର ତଦାରଖ କରିଥିଲେ। ଅଫିସିଆଲ ସାକ୍ଷୀ ଦିଲୀପ ତ୍ରିପାଠୀ, ବୈଷ୍ଣବ କବାଟ ଏଥିରେ ସହାୟତା କରିଥିଲେ। ପ୍ରତିଭା ଅନ୍ବେଷଣ ସଂସ୍ଥା କଳିଙ୍ଗ ଡେୟାର୍ସ ଡେଭିଲ୍ସର ଅଧ୍ୟକ୍ଷ ତଥା ତିନୋଟି ଇଭେଣ୍ଟରେ ଗିନିଜ୍‌ ୱାଲର୍‌ଡ ରେକର୍ଡଧାରୀ ଡ. ସତ୍ୟପୀର ପଧାନ, ସଚିନ ବେହେରା, ରାଜଗୋପାଲ ଭୋଇ, ଅନିଲ ସରାଫ, ଅଭିଜିତ ଦାଶ, ଟିଟିଲାଗଡ଼ କରାଟେ ସଂଘ ସଭାପତି ଅମରଜିତ ବାଗ, କେଦାର କବାଟ, ଜିତୁ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ।