ନୂଆପଡ଼ା,୧୫ା୭(ମକାରୁ ବେମାଲ): ସ୍ଥାନୀୟ ନ୍ୟାଶନାଲ ମହାବିଦ୍ୟାଳୟଠାରେ ବୁଧବାର ସ୍ବର୍ଗୀୟ ଜନନେତା ପୂର୍ବତନ ମନ୍ତ୍ରୀ ଘାସିରାମ ମାଝିଙ୍କ ୧୦୨ତମ ଜନ୍ମତିଥି ପାଳିତ ହୋଇଯାଇଛି। ନୂଆପଡ଼ା ଏକତା ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ଦାୟାଦ ସରୋଜିନୀ ମାଝିଙ୍କ ଆବାହନ କ୍ରମେ ସ୍ମୃୃତି ସଭା ଅନୁଷ୍ଠିତ ହୋଇଥିଲା।
ଘାସିରାମ ମାଝି ସ୍ମୃତି ପରିଷଦ ସଭାପତି ପ୍ରସନ୍ନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ଜିଲାପାଳ ମଧୁସୂଦନ ଦାଶ ସ୍ବତନ୍ତ୍ର ଅତିଥି, ଜିଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମସିଂ ମାଝି, ନ୍ୟାଶନାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।
ପ୍ରାକ୍ତନ ଇଂରାଜୀ ଅଧ୍ୟାପକ କେଶବ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ସ୍ବର୍ଗତ ମାଝି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ୩ ଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ ପାଇ କାର୍ଯ୍ୟ ତୁଲାଇଛନ୍ତି।
୧୯୯୩ରେ ନୂଆପଡ଼ାକୁ ନୂତନ ଜିଲା ଗଠନ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଅନ୍ୟ ଅତିଥିମାନେ ମଧ୍ୟ ସ୍ବର୍ଗତ ମାଝିଙ୍କ ଅବଦାନକୁ ମନେ ପକାଇଥିଲେ। ଭାରତ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ାରେ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କଲେଜ ନ ଥିଲା। ସ୍ବର୍ଗତ ମାଝି ୧୮ ଏକର ଜମି ଦାନ କରି ୧୯୭୮ରେ ନ୍ୟାଶନାଲ କଲେଜ ଆରମ୍ଭ କରିଥିଲେ। ତାଙ୍କ ମନ୍ତ୍ରୀତ୍ୱ କାଳରେ ସୁନ୍ଦର ଜଳସେଚନ ପ୍ରକଳ୍ପ ଜଡାମୁଣ୍ଡା, ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା, ଆଇପଲା ଜଳସେଚନ ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ସ୍ବର୍ଗତ ମାଝିଙ୍କ ଅନ୍ତରଙ୍ଗ ବନ୍ଧୁ ଟାନୱାଟ ଗଁାର ବିହାରୀ ଲାଲ ବିଶ୍ୱାଳଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରବୋଧ ହୋତା, ବିଶିଷ୍ଟ କବି ବାସୁଦେବ ସୁନାନୀ, ଆଦିବାସୀ ନେତା ସୋମନାଥ ଖମାରୀ, ବାଳକୃଷ୍ଣ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନ୍ୟାଶନାଲ କଲେଜ ଅଧ୍ୟକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ା