ଗୁଡ଼ାରି ବ୍ଲକରେ ପହଞ୍ଚତ୍ପାରିନି ପୂର୍ତ୍ତ ବିଭାଗ ରାସ୍ତା

ଗୁଡ଼ାରି,୨୧।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଏନ୍‌ଏସିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାଗୁଡ଼ିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟିହେବା ସହ ଉଭୟ ପାର୍ଶ୍ୱରେ ଗଛ ଉଠି ରାସ୍ତା ସଙ୍କୁଚିତ ହେବାରେ ଲାଗିଛି।

ମୁଖ୍ୟତଃ ନାଇରା ଛକରୁ ଗୁଡ଼ାରିକୁ ସଂଯୋଗ କରୁଥିବା ପ୍ରାୟ ୮ କି.ମି. ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ବୋଲିଗୁଡ଼ା କାଜୁତୋଟା ନିକଟରେ ଦୀର୍ଘଦିନ ହେଲା ଗଛ ପଡ଼ି ରାସ୍ତା ସଙ୍କୁଚିତ ହୋଇଛି। ସେହିପରି ପଦ୍ମପୁରରୁ ଗୁଡ଼ାରିକୁ ସଂଯୋଗ କରୁଥିବା ରାସ୍ତାରେ ମୁଚୁକିପଦର ଛକରୁ ଗଡ଼ାରି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ହେଲେ ରାସ୍ତାର ଅନେକ ସ୍ଥାନରେ ପାଣି ଜମି ରହୁଛି। ଏହି ରାସ୍ତାଦେଇ ପ୍ରତିଦିନ ଦୁଇଚକିଆ, ବସ୍‌ ସମେତ ଭାରିଯାନ ଚଳାଚଳ କରିଥାଏ। ଫଳରେ ମରାମତିର କିଛି ମାସ ପରେ ପୁଣି ରାସ୍ତା ନଷ୍ଟହେବା ସହ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।
ସହରର ମୁଖ୍ୟ ସଡ଼କଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବାରୁ ଅଳ୍ପ କେତୋଟି ଭାରିଯାନ ଚଳାଚଳ କଲେ ରାସ୍ତା ନଷ୍ଟ ହୋଇଯାଉଛି। ଗୁଡ଼ାରି ସହର ନିକଟସ୍ଥ ସୌରାସାହିରୁ ବଂଶଧାରା ସେତୁକୁ ସଂଯୋଗ କରୁଥିବା ରାସ୍ତା ଏବଂ ନୂତନ ବସ୍‌ଷ୍ଟାଣ୍ଡ ଛକରୁ ବିର୍ସାନାଳ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟୁଛି। ସୂଚନାଯୋଗ୍ୟ, ରାୟଗଡ଼ା ଜିଲାରେ ଏକମାତ୍ର ବ୍ଲକ ଭାବେ ଗୁଡ଼ାରିରେ ଏ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ପହଞ୍ଚତ୍ପାରିନାହିଁ। ଏହା ଜିଲା ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ଗୁଡ଼ାରି ବ୍ଲକ ପ୍ରତି ଅବହେଳାକୁ ପଦାରେ ପକାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାଗୁଡ଼ିକୁ ଶୀଘ୍ର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ଦାବି ହେଉଛି। ରାସ୍ତା ମରାମତି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ନାଇରାରୁ ଗୁଡ଼ାରିକୁ ସଂଯୋଗ କରୁଥିବା ରାସ୍ତାର ମରାମତି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଛି। ଦଶହରା ପରେ କାର୍ଯ୍ୟ ଆରମ୍ଭ ହେବ। ସେହିପରି ମୁଚୁକିପଦରରୁ ଗୁଡ଼ାରି ପର୍ଯ୍ୟନ୍ତ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଶୀଘ୍ର ହେବ ବୋଲି ସେ କହିଛନ୍ତି।