ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍ର ଚିତ୍ର ସାମ୍ନାକୁ ଆସିଛି। ମାତ୍ର ୫ ମାସ ତଳେ ନିର୍ମିତ ପୋଲର ପ୍ରୋଟେକ୍ସନ ୱାଲ୍ ଗତ ରବିବାର ସନ୍ଧ୍ୟାରେ ସାମାନ୍ୟ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏହା ସହ ନୂତନ ପିଚୁ ରାସ୍ତାରେ ଫାଟ ସୃଷ୍ଟି ହୋଇ ମାଟି ତଳକୁ ଧସିଯାଇଛି । ବିଭାଗୀୟ ଯନ୍ତ୍ରୀ ଓ ଠିକା ସଂସ୍ଥାର ଲାଭଖୋର ମନୋଭାବ ଯୋଗୁଁ ଏଭଳି ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ପିଡବ୍ଲ୍ୟୁଡି ଅଧୀନରେ ଡୁମେରପଦର ଠାରୁ ଗୋପୀନାଥପୁର ସିକାତୁଜି ଡଙ୍ଗାଘାଟ ପର୍ଯ୍ୟନ୍ତ ଏହି ମୁଖ୍ୟ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ଏକ ଠିକା ସଂସ୍ଥା ଦ୍ୱାରା କରାଯାଉଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୋଲ ପାର୍ଶ୍ୱରେ ମାଟି ପକାଇବା ପରେ ତାକୁ ସଠିକ୍ ଭାବେ କମ୍ପାକ୍ସନ ନକରି, କେବଳ ଡବ୍ଲ୍ୟୁଏମ୍ଏମ୍ ବିଛାଇ ସିଧାସଳଖ ପିଚୁ ଢାଳି ଦିଆଯାଇଛି। ଫଳରେ ବର୍ଷା ଜଳରେ ଭିତର ମାଟି ଦବିଯାଇ ଗାର୍ଡ ୱାଲ୍ ଭାଙ୍ଗିଛି। ଏହି ବିପଦପୂର୍ଣ୍ଣ ଉଚ୍ଚ ସ୍ଥାନରେ କଂକ୍ରିଟ୍ କାର୍ଯ୍ୟ ପାଇଁ ମାତ୍ର ୮ ରୁ ୧୦ ଏମଏମ ରଡ୍ ବ୍ୟବହାର କରାଯାଇଥିବା ଗ୍ରାମବାସୀ ଦେଖାଇଛନ୍ତି।
ଓଡ୍ରୀ – ଗୋପୀନାଥପୁର ଅଞ୍ଚଳରେ ନିର୍ମାଣ ହେଉଥିବା ପ୍ରାୟ ସବୁ ନୂତନ ରାସ୍ତା ଓ ବ୍ରିଜ୍ର ନକ୍ସାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁଠି ଉଚ୍ଚା ଓ ବଡ଼ ବ୍ରିଜ୍ ଆବଶ୍ୟକ ସେଠି ଛୋଟ ଏବଂ ଯେଉଁଠି ଛୋଟ ଦରକାର ସେଠି ବଡ଼ ବ୍ରିଜ୍ ନିର୍ମାଣ କରାଯାଇଛି। ଏପରିକି ପୁରୁଣା ବ୍ରିଜ୍ ସହ ନୂଆ ବ୍ରିଜ୍କୁ ଅତି ବିପଜ୍ଜନକ ଭାବେ ଯୋଡ଼ାଯାଇଛି । କାମ ଚାଲିଥିବା ସମୟରେ ଜନସାଧାରଣ ବାରମ୍ବାର ବିରୋଧ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଠିକା ସଂସ୍ଥା ଏହାକୁ କର୍ଣ୍ଣପାତ କରିନଥିଲେ। ଏହି ନିମ୍ନମାନର କାମ ପାଇଁ ପିଡବ୍ଲ୍ୟୁଡି ଯନ୍ତ୍ରୀ ଓ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ, ମହାଦେବ ଦାଦସେନା, ହରି ନେହେରୁଙ୍କ ସମେତ ଦୋଳଗୁଡ଼ା ଗ୍ରାମବାସୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡବ୍ଲ୍ୟୁଡି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମିନିକେତନ କାର୍ଜିଙ୍କୁ ପଚାରିବାରୁ ସେ ‘ଧରିତ୍ରୀ’ କୁ କହିଛନ୍ତି “ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ, ଏବେ ବି କାମ ଚାଲୁ ରହିଛି। ସରକାରୀ ନିୟମ ଓ ଟେଣ୍ଡର ଅନୁସାରେ ହିଁ ସବୁ କାର୍ଯ୍ୟ ହେଉଛି ଏବଂ ଭାଙ୍ଗିଥିବା ୱାଲ୍ରେ ୧୨ ରୁ ୧୮ ଏମଏମ ରଡ୍ ବ୍ୟବହାର କରାଯାଇଛି।
ତେବେ ପୋଲ ପାଖରେ ଥିବା ଜମିର ମାଲିକ ଚାଷ ପାଇଁ ସେଠାରୁ ମାଟି କାଟି ଦେଇଥିବାରୁ ଅତଡ଼ା ଧସି ଗାର୍ଡ ୱାଲ୍ଟି ଭାଙ୍ଗିଯାଇଛି। ବ୍ରିଜ୍ ପାଖରେ ବାଇପାସ୍ ରାସ୍ତା ପାଇଁ ବ୍ୟବସ୍ଥା ନଥିବାରୁ ଶୀଘ୍ର କାମ ଶେଷ କରିବାକୁ ପଡ଼ିଥିଲା। ମୁଁ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବି ଏବଂ ଠିକା ସଂସ୍ଥା ଦ୍ୱାରା ତୁରନ୍ତ ଏହାର ପୁନଃ ନିର୍ମାଣ କରାଇବି ବୋଲି କହିଛନ୍ତି । ତେବେ ବିଭାଗୀୟ ଯନ୍ତ୍ରୀ ଚାଷୀଙ୍କ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ, ପ୍ରଶ୍ନ ଉଠୁଛି ଯେ ସାମାନ୍ୟ ବର୍ଷାରେ ଯଦି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଏଭଳି ଭାବେ ଧୂଳିସାତ ହୋଇଯାଉଛି, ତେବେ ଆଗକୁ ଆସୁଥିବା ପ୍ରବଳ ବର୍ଷା ଦିନରେ ଏହି ରାସ୍ତା ଓ ପୋଲର ସ୍ଥାୟୀତ୍ୱ କେତେ? ପ୍ରଶାସନ ଏହା ଉପରେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।