ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)କୁ ପରାସ୍ତ କରିଛି। ଲଗାତର ଦୁଇ ପରାଜୟ ପରେ ଏହି ବିଜୟ ସହ ଗୁଜରାଟ ତା’ର ପରାଜୟ ଧାରା ଭାଙ୍ଗିଛି। ଗୁଜରାଟ ୮ ମ୍ୟାଚ୍ରେ ଚତୁର୍ଥ ବିଜୟ ସହ ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଚେନ୍ନାଇ ୮ ମ୍ୟାଚ୍ରେ ୬ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଖସିଛି। ଏହି ମ୍ୟାଚ୍ ଜରିଆରେ ଋତୁରାଜ ଗାଏକ୍ୱାଡ ଆଇପିଏଲ୍ରେ ୧୦୦ ଛକା ଓ ସଞ୍ଜୁ ସାମସନ ୫ ହଜାର ରନ ପୂରଣ କରିଛନ୍ତି।
ବୋଲରଙ୍କୁ ସୁହାଉଥିବା ପିଚ୍ରେ ଚେନ୍ନାଇର ବ୍ୟାଟରମାନେ ସଂଘର୍ଷ କରିଥିଲେ। ଅଧିନାୟକ ଋତୁରାଜ ଗାଏକ୍ୱାଡ ଗୋଟିଏ ପକ୍ଷରେ ସଂଘର୍ଷ କରୁଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଘଟିଥିଲା। ଦଳ ମାତ୍ର ୩୭ ରନ ମଧ୍ୟରେ ଭଲ ଫର୍ମରେ ଥିବା ସଞ୍ଜୁ ସାମସନ (୧୫ ବଲ, ୧୧ ରନ୍, ୨ ଚୌକା), ଉର୍ଭିଲ ପଟେଲ (୪), ସର୍ଫରାଜ ଖାନ (୦), ଡଓ୍ୱୋଲ୍ଡ ବ୍ରେଭିସ (୨)ଙ୍କ ଉଇକେଟ ହରାଇଥିଲା।
ଦଳୀୟ ସ୍କୋର ୧୨ତମ ଓଭରରେ ୫୦ ଅତିକ୍ରମ କରିଥିଲା। ସେତେବେଳକୁ ଋତୁରାଜ ୩୬ ବଲରେ ୨୦ ରନରେ ବ୍ୟାଟିଂ କରୁଥିଲେ। କିନ୍ତୁ ୧୩ତମ ଓଭରରେ ଋତୁରାଜ ଗିୟର ବଦଳାଇଥିଲେ। ଶିଭମ ଦୁବେଙ୍କ ସହ ଋତୁରାଜ ମିଶି ପଞ୍ଚମ ଉଇକେଟରେ ୭.୧ ଓଭରରେ ୫୯ ରନ ଯୋଡ଼ିଥିଲେ। ଦୁବେ (୧୭ ବଲ, ୨୨ ରନ, ୩ ଚୌକା ଓ ୧ ଛକା) ଆଉଟ୍ ହେବା ପରେ ଋତୁରାଜ ଗାଏକ୍ୱାଡ ଏକାକୀ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କୁ କାର୍ତ୍ତିକ ଶର୍ମା (୯ ବଲ, ୧୫ ରନ, ୩ ଚୌକା) ଓ ଜେମି ଓଭର୍ଟନ (୬ ବଲ, ୧୮ ରନ, ୩ ଚୌକା ଓ ୧ ଛକା) ସମର୍ଥନ ଦେଇଥିଲେ। ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୫୮ ରନ କରିଥିଲା। ଋତୁରାଜ ୬୦ ବଲରେ ୬ ଚୌକା ଓ ୪ ଛକା ସହିତ ୭୪ ରନ କରି ଅପରାଜିତ ରହିଥିବା ବେଳେ ଗୁଜରାଟ ପାଇଁ କାଗିସୋ ରାବାଡା ୩ ଓ ଅର୍ଶଦ ଖାନ ୨ ଉଇକେଟ ନେଇଥିଲେ। ଜବାବରେ ଗୁଜରାଟ ୧୬.୪ ଓଭରରେ ୨ ଉଇକେଟ ହରାଇ ୧୬୨ ରନ କରିନେଇଥିଲା। ସୁଦର୍ଶନ ୪୬ ବଲରେ ୮୭ (୪ ଚୌକା ଓ ୭ ଛକା) ଓ ଅଧିନାୟକ ଶୁବମନ ଗିଲ ୩୩ (୧ ଚୌକା ଓ ୩ ଛକା) ରନ କରି ଆଉଟ୍ ହୋଇଥିଲେ। ଜୋଶ ବଟଲର ଅପରାଜିତ ୩୯ (୪ ଚୌକା ଓ ୧ ଛକା) କରି ମ୍ୟାଚ୍ ଫିନିଶ୍ କରିଥିଲେ।