Categories: ଖେଳ

ଚାମ୍ପିୟନ ଦୌଡ଼ରେ ଜିଟି, ସିଏସକେ: କାହାକୁ ସୁହାଇବ ଅହମଦାବାଦ ଷ୍ଟାଡିୟମ ?…

ଅହମଦାବାଦ,୨୭।୫ : ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟେ ଖେଳାଯିବ। ମ୍ୟାଚରେ ଗୁଜରାଟ ବ୍ୟାଟ୍ସମ୍ୟାନ ମାନେ ଆକ୍ରମଣାତ୍ମକ ହେବେ ଅବା ଚେନ୍ନାଇ ସ୍ପିନରମାନଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିବ ସେନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଦୁଇ ଦଳ ମଧ୍ୟରେ ଏହା ଚଳିତ ୧୬ତମ ସିଜିନର ତୃତୀୟ ମ୍ୟାଚ। ଆଇପିଏଲରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ହୋଇଥିବା ୪ ଟି ମ୍ୟାଚ ମଧ୍ୟରୁ ଗୁଜରାଟ ୩ ଟି ଜିତିଛି। ଏଥି ସହିତ ସିଏସକେ ଚଳିତ ସିଜିନର ଯୋଗ୍ୟତା ମ୍ୟାଚରେ ଗୁଜରାଟକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି।

ସିଏସକେ ଏବଂ ଜିଟି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏପର୍ଯ୍ୟନ୍ତ କେବଳ ଥରେ ପରସ୍ପରକୁ ଭେଟିଛନ୍ତି। ଯେଉଁଥିରେ ଜିଟି ବିଜୟୀ ହୋଇଛି। ରବିବାର ଏଠାରେ ଆଇପିଏଲ ୨୦୨୩ ଗ୍ରାଣ୍ଡ ଫାଇନାଲରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ ବୋଲି ବିବେଚନା କରାଯାଏ। ଏଠାରେ ଫ୍ଲାଟ ପିଚରେ ବ୍ୟାଟିଂ କରିବା ସହଜ। ବ୍ୟାଟ୍ସମ୍ୟାନ ଏଠାରେ ବହୁତ ରନ ସ୍କୋର କରନ୍ତି। ଶେଷ ମ୍ୟାଚରେ ଶୁଭମାନ ଗିଲ ମଧ୍ୟ ଏହା ପ୍ରମାଣ କରିଛନ୍ତି। ପିଚରେ ୟୁନିଫର୍ମ ବାଉନ୍ସ ଅଛି । ଏହି କାରଣରୁ, ଦ୍ରୁତ ବୋଲରମାନଙ୍କୁ ଏହା ସୁହାଇଥାଏ। ଏହାର ଆଉଟଫିଲ୍ଡ ମଧ୍ୟ ବହୁତ ଦ୍ରୁତ ଅଟେ। ୨୦୨୩ରେ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରାହାରି ସ୍କୋର ୧୮୭ ରହିଛି। ମ୍ୟାଚରେ ଟସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟସ ଜିତିଥିବା ଦଳ ଏଠାରେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥାନ୍ତି ଏବଂ ଜିତିଥାନ୍ତି ମଧ୍ୟ।

ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ କ୍ରିକେଟ ଖେଳ ପାଇଁ ଅହମ୍ମଦାବାଦର ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ତାପମାତ୍ରା ୩୫ ରୁ ୪୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ବର୍ଷା ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ ।

Share