ମେଡିକାଲ ଏଜେନ୍ସିରେ ଜିଏସ୍‌ଟି ଚଢ଼ାଉ

ଝାରସୁଗୁଡ଼ା ଅଫିସ,୩୧ା୧୨: ଝାରସୁଗୁଡା ସହରରେ ଥିବା ଅମିତ ମେଡିକାଲ ଏଜେନ୍ସିରୁ କିଛିଦିନ ତଳେ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଥିଲା। ତଦନ୍ତ ପରେ ଏହାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଥିଲା। ଏଭଳି ସ୍ଥିତିରେ ଜିଏସ୍‌ଟି ଠକେଇ ଅଭିଯୋଗରେ ସହରରେ ଥିବା ଅମିତ ଏଜେନ୍ସି ଓ ଶ୍ୟାମ ମେଡିକାଲ୍‌ ଏଜେନ୍ସିରେ ଜିଏସ୍‌ଟି ବିଭାଗ ତରଫରୁ ଶୁକ୍ରବାର ଚଢାଉ କରାଯାଇଛି।
ଚଢାଉରେ ସମ୍ବଲପୁର ଓ ଝାରସୁଗୁଡା ଜିଏସ୍‌ଟି ବିଭାଗର ଅଧିକାରୀମାନେ ସାମିଲ ହୋଇଛନ୍ତି। ଅମିତ ମେଡିକାଲ୍‌ ଏଜେନ୍ସିରେ ଝାରସୁଗୁଡା ଟିମ୍‌ ଓ ଶ୍ୟାମ ମେଡିକାଲ୍‌ ଏଜେନ୍ସିରେ ସମ୍ବଲପୁର ଟିମ୍‌ ଚଢାଉ ଜାରି ରଖିଛି। ଝାରସୁଗୁଡା ଟିମ୍‌ରେ ଝାରସୁଗୁଡା ସିଟି ଆଣ୍ଡ୍‌ ଜିଏସ୍‌ଟି ଡେପୁଟି କମିଶନର ସତିଶ ରଞ୍ଜନ ଜାଲ୍‌, ଅତିରିକ୍ତ ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମେହେର, ରଶ୍ମି ରଞ୍ଜନ ସାହୁ, ନୃପରାଜ ଚୌଧୁରୀ, ଆଶିଷ ଦାଶ, ଅଲେଖ ମହାନନ୍ଦ, ଚୂମନ କଠାର,ଦିଲ୍ଲୀଶ୍ରୀ ମିତ୍ରବିନ୍ଦ ପ୍ରଧାନ ପ୍ରମୁଖ ରହିଛନ୍ତି। ସେହିପରି ସମ୍ବଲପୁର ଟିମ୍‌ରେ ସିଟି ଆଣ୍ଡ୍‌ ଜିଏସ୍‌ଟି ଡେପୁଟି କମିଶନର ସୁବୋଧ ପଣ୍ଡା, ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ସୁରଞ୍ଜନ ସାଗର, ଅତିରିକ୍ତ ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ଶିଖର ଚନ୍ଦ୍ର ସାହୁ, ରମାକାନ୍ତ ପଟେଲ, ଆସିଷ୍ଟାଣ୍ଡ ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ନବୀନ କୁମାର ଦାସ, ସୁରେନ୍ଦ୍ର ଭୋଇ ଓ ଅମିତ ବେଶନ, ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଟପ୍ପୋ ପ୍ରମୁଖଙ୍କ ସହିତ ସ୍ଥାନୀୟ ପୋଲିସ୍‌ ସାମିଲ ହୋଇଛନ୍ତି। ଏ ନେଇ ଝାରସୁଗୁଡା ଡେପୁଟି କମିଶନର ଜାଲ୍‌ କହିଛନ୍ତି, ଉଭୟ ଏଜେନ୍ସି ନାମରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉଭୟ ଏଜେନ୍ସିରେ ଚଢାଉ ଚାଲିଛି। ଚଢାଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତଦନ୍ତ ପରେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ଏହା ସ୍ପଷ୍ଟ ହେବ। ବିଭାଗ ତରଫରୁ ଉଭୟ ଏଜେନ୍ସିକୁ ନୋଟିସ କରାଯାଇ ଆଇନ ଅନୁଯାଯୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।