ବନଦୁର୍ଗା ଟ୍ରେଡର୍ସରେ ଜିଏସ୍‌ଟି ଚଢାଉ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

କୋକସରା,୯।୧(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ରହିଥିବା ବନଦୁର୍ଗା ଟ୍ରେଡର୍ସରେ ସୋମବାର ଜିଏସ୍‌ଟି ଚଢାଉ ହୋଇଛି। ଜିଏସ୍‌ଟି ଫାଙ୍କିବା ନେଇ ଅଭିଯୋଗ ହେବାପରେ ଭବାନୀପାଟଣା ଜିଏସ୍‌ଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିସହ ଯାଞ୍ଚ କରିବା ପରେ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା କୋକସରାଠାରେ ଥିବା ବନଦୁର୍ଗା ଟ୍ରେଡର୍ସ ଦୀର୍ଘ ଦିନ ଧରି ଜିଏସ୍‌ଟି ଫାଙ୍କି ଆସୁଥିଲା। ଏହାକୁ ନେଇ ଜିଏସ୍‌ଟି ବିଭାଗ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ଜିଲା ଜିଏସ୍‌ଟି ଅତିରିକ୍ତ ନିର୍ଦେଶକ ସମୀର ମାଝୀଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍‌ ବନ ଦୁର୍ଗା ଟ୍ରେଡର୍ସ ଉପରେ ଚଢାଉ କରିଥିଲା। ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହ ଦୋକାନରେ ଥିବା ଅନ୍‌ଲାଇନ ବ୍ୟବସାୟ ତଥ୍ୟକୁ ମଧ୍ୟ ଟିକିନିଖି ଯାଞ୍ଚ କରାଯାଇଥିଲା। ତେବେ କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଆକଳନ ପରେ ତଥ୍ୟ ସାମ୍ନାକୁ ଆସିବା ବୋଲି ଜିଏସ୍‌ଟି ବିଭାଗ ସୂଚନା ଦେଇଛି। ଏହି ଚଢାଉରେ ଆଡିସନାଲ ଜିଏସ୍‌ଟି ଅଧିକାରୀ ହରେକୃଷ୍ଣ ସାହୁ, ଟଙ୍କଧର ସାହୁ, ସୁଧାଂଶୁ ଶେଖର ବେହେରା, ମହମ୍ମଦ ଆଝାରଉଦ୍ଧିନ ଖାଁ, ଶ୍ୟାମ ବାଗ, ଧରଣୀଧର ପୁରୋହିତ ପ୍ରମୁଖ ସାମିଲ ରହିଥିଲେ। କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ସରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।