ଉପନିର୍ବାଚନ ପୂର୍ବରୁ ଜିଏସ୍‌ଟି ଚଢ଼ାଉ

ବରଗଡ଼ ଅଫିସ୍‌/ପଦ୍ମପୁର/ପାଇକମାଲ/ଝାରବନ୍ଧ,୨୮।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖ ଭୋଟ୍‌ ଗ୍ରହଣ ହେବ । ତେବେ ଭୋଟ୍‌ ଗ୍ରହଣର ଅବ୍ୟବହିତ ପୂର୍ବରୁ ସୋମବାର ଆୟକର ବିଭାଗର କେନ୍ଦ୍ରୀୟ ଟିମ୍‌ ପଦ୍ମପୁରରେ ୩ ବିଜେଡ଼ି କର୍ମୀଙ୍କ ଘରେ ଅତର୍କିତ ଚଢ଼ାଉ କରିଥିବା ବେଳେ ଅପରାହ୍ନରେ ଜିଲାର ବରଗଡ଼, ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧରେ ଜିଏସ୍‌ଟି ବିଭାଗର ଚଢ଼ାଉ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ବରଗଡ଼ ହସ୍ପିଟାଲ ରୋଡ୍‌ରେ ରହିଥିବା ଅଶୋକ ମେଡ଼ିକାଲ ହଲ ଦୋକାନରେ ଜିଏସ୍‌ଟି ଚଢ଼ାଉ ଚାଲିଛି । ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ ଜିଏସ୍‌ଟି ବିଭାଗର ଅଧିକାରୀମାନେ ଦୋକାନ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି ।

ସେହିପରି ପଦ୍ମପୁରର ୩ଟି ସ୍ଥାନରେ ଜିଏସ୍‌ଟି ଚଢ଼ାଉ ଚାଲିଛି । ସ୍ଥାନୀୟ ସୁନିଲ ଅଗ୍ରୱାଲଙ୍କ କପଡ଼ା ଦୋକାନରେ ଏହି ଚଢ଼ାଉ ଚାଲିଥିବା ବେଳେ ସୁନିଲ ଭାଜପା ନଗର ସଭାପତି ଥିବା ଜଣାପଡ଼ିଛି । ସେହିପରି ପଦ୍ମପୁରସ୍ଥିତ ଉମା ଅଗ୍ରୱାଲଙ୍କ ମୀନାକ୍ଷୀ ଜ୍ୱେଲର୍ସ, ବରିକେଳସ୍ଥିତ ରାଜେଶ ସାହୁଙ୍କ ଇଣ୍ଡେନ ଗ୍ୟାସ ଦୋକାନରେ ମଧ୍ୟ ଚଢ଼ାଉ ଚାଲିଛି । ପାଇକମାଲସ୍ଥିତ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପ, ମେଡ଼ିକାଲରେ ଜିଏସ୍‌ଟି ଚଢ଼ାଉ ଚାଲିଥିବା ବେଳେ ତାଙ୍କ ସମ୍ପର୍କୀୟ ବିକାଶ ଅଗ୍ରୱାଲଙ୍କ ଝାରବନ୍ଧସ୍ଥିତ ହାର୍ଡୱେର୍‌ ଦୋକାନରେ ଜିଏସ୍‌ଟି ବିଭାଗର ଟିମ୍‌ ପହଞ୍ଚି ସେଠାରେ ତନାଘନା ଚଲାଇଥିବା ସୂଚନା ମିଳିଛି । ତେବେ ଗୋବର୍ଦ୍ଧନ ଜଣେ ଭାଜପା କର୍ମୀ ବୋଲି ସୂଚନା ମିଳିଛି।