Categories: ଜାତୀୟ

ପରଟା ଉପରେ ୧୮% ଜିଏସ୍‌ଟି କାଏମ

ନୂଆଦିଲ୍ଲୀ,୧୫।୧୦(ପି.ଟି.): ପ୍ୟାକେଜ୍‌ଡ ପରଟା ଉପରେ ୧୮ ପ୍ରତିଶତ ଜିଏସ୍‌ଟିକୁ ଗୁଜରାଟ ଆପିଲେଟ୍‌ ଅଥରିଟି ଫର୍‌ ଆଡଭାନ୍ସ ରୁଲିଂ (ଏଏଏଆର୍‌) କାଏମ୍‌ ରଖିଛନ୍ତି। ଅଟାରେ ପ୍ରସ୍ତୁତ ହେଲେ ମଧ୍ୟ ପ୍ୟାକ୍‌ ହୋଇଥିବା ପରଟାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡ଼ିଥାଏ। ପରଟା ପ୍ରସ୍ତୁତିରେ ଅଟା ବ୍ୟତୀତ ବିଭିନ୍ନ ପନିପରିବା, ପିଆଜ, ମେଥି, ଆଳୁ, ତେଲ ଆଦି ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ଏହା ସାଦା ରୁଟି କିମ୍ବା ଚପାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇପାରିବ ନାହିଁ ବୋଲି ଏଏଏଆର୍‌ କହିଛନ୍ତି। ୨୦୨୧ ଜୁନ୍‌ରେ ଗୁଜରାଟ ଅଥରିଟି ଫର୍‌ ଆଡଭାନ୍ସ ରୁଲିଂ (ଏଏଆର୍‌) ପରଟା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବା ଉଚିତ ବୋଲି କହିଥିଲେ। ଏହାକୁ ଅହମଦାବାଦର ବଡ଼ିଲାଲ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଏଏଏଆର୍‌ରେ ଚ୍ୟାଲେଞ୍ଜ କରାଯାଇଥିଲା।
ଏଏଏଆର୍‌ଙ୍କ ରାୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ସମାଲୋଚନା କରିଛନ୍ତି। ଏପରିକି ବ୍ରିଟିଶମାନେ ଖାଦ୍ୟସାମଗ୍ରୀ ଉପରେ ଟିକସ ଲଗାଇ ନ ଥିଲେ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରେ ଅତ୍ୟଧିକ ଜିଏସ୍‌ଟି ଲଗାଇଥିବାରୁ ଦେଶରେ ମଦ୍ରାସ୍ଫୀତି ବଢ଼ିଚାଲିଛି। ଦରବୃଦ୍ଧିରୁ ନିସ୍ତାର ପାଇବାକୁ ହେଲେ ଜିଏସ୍‌ଟି ହ୍ରାସ କରାଯିବା ଆବଶ୍ୟକ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share