Categories: ବାଣିଜ୍ୟ

ଅକ୍ଟୋବରରୁ ଜିଏସ୍‌ଟି ଇନ୍‌ଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଜିଏସ୍‌ଟି ଇନ୍‌ଭଏସିଂ ଅନିବାର୍ଯ୍ୟ ହେବ। ଏ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ କୋହଳ ସୁବିଧା ପ୍ରଦାନ କରିପାରିବେ ନାହିଁ। ପହିଲାରୁ ଜିଏସ୍‌ଟି ଇନ୍‌ଭଏସିଂ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଅଗ୍ରସର ହେବେ। ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକ କ୍ଷେତ୍ରରେ ଏହା ଲାଗୁ ହେବ। ବିଜ୍‌ନେସ-ଟୁ-ବିଜ୍‌ନେସ(ବିଟୁବି) ଟ୍ରାଞ୍ଜାକଶନ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ଏହି ବ୍ୟବସ୍ଥାକୁ ବର୍ତ୍ତମାନ ବାଧ୍ୟତାମୂଳକ କରିବା ପରିବର୍ତ୍ତେ ସ୍ବେଚ୍ଛାକୃତ କରିବା ନେଇ ଦେଶର ଶିଳ୍ପଜଗତ ପ୍ରତିନିଧିଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। କ୍ଷୁଦ୍ର ବାଣିଜ୍ୟଗୁଡ଼ିକୁ ଏ କ୍ଷେତ୍ରରେ କିଛିଟା ଆଶ୍ୱସ୍ତି ମିଳିପାରେ। ନିର୍ଦ୍ଧାରିତ ସୀମାଠାରୁ ଯେଉଁ ମାନେ କମ୍‌ ବାଣିଜ୍ୟ କରୁଛନ୍ତି ସେମାନଙ୍କ ଲାଗି ଏହା ହୁଏତ କଡ଼ାକଡ଼ି ହେବ ନାହିଁ। ମାତ୍ର ଯେଉଁ ସଂସ୍ଥାଗୁଡିକ ଧାର୍ଯ୍ୟ ସୀମାଠାରୁ ଅଧିକ ମୂଲ୍ୟର କାରବାର କରୁଛନ୍ତି ସେମାନଙ୍କ ଲାଗି ଇ-ଇନ୍‌ଭଏସିଂ କଡ଼ାକଡ଼ି ହେବ ବୋଲି ଜଣାପଡିଛି। ଟିକସ ଅନୁପାଳନକୁ ଉନ୍ନତ କରିବା ଲାଗି ସରକାର ଏଭଳି ଏକ ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।
୧୦୦ କୋଟି ଟଙ୍କାର କାରବାର ଉପରେ ଏଭଳି ବ୍ୟବସ୍ଥା ଲାଗୁ କରିବା ଲାଗି ପୂର୍ବରୁ ଯୋଜନା କରାଯାଇଥିଲା। ମାତ୍ର ଜିଏସ୍‌ଟି ପରିଷଦର ଏମ୍ପାଓ୍ବାର୍ଡ କମିଟି ପ୍ରସ୍ତାବ ମୁତାବକ ଏହାକୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଥିବା ଜଣାପଡିଛି। ପ୍ରଥମେ ୨୦୨୦ ଏପ୍ରିଲରୁ ଏହି ବ୍ୟବସ୍ଥା ଲାଗୁ କରିବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ପରେ ସମୟରେ ପରିବର୍ତ୍ତନ ସହ ଏହାକୁ ଅକ୍ଟୋବର ପହିଲାକୁ ବଢ଼ାଯାଇଛି। ଜିଏସ୍‌ଟିଏନ୍‌ ଓ୍ବେବ୍‌ସାଇଟରୁ ମିଳିଥିବା ସୂଚନା ମୁତାବକ, ଇ-ଇନ୍‌ଭଏସିଂରେ ଅନେକ ସୁବିଧା ରହିଛି। ଏହା ପେମେଣ୍ଟ ସାଇକେଲକୁ ଉନ୍ନତ କରିବା ସହ ବାଣିଜ୍ୟ ସଂସ୍ଥାଗୁଡିକର ଦକ୍ଷତା ବଢାଇବା ଦିଗରେ ସହାୟକ ହୋଇପାରିବ।

Share