ଜିଏସ୍‌ଟି ଠକେଇ ଅଭିଯୋଗ, ଟ୍ରକ୍‌ ଅଟକ, ୪ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଟକରୁ ଭବାନୀପାଟଣା ଆସୁଥିବା କୀଟନାଶକ ଔଷଧ ବୋଝେଇ ଏକ ଟ୍ରକକୁ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟକର ବିଭାଗ ପକ୍ଷରୁ ୪ଲକ୍ଷ ୭୧ ହଜାର ୧୨୮ ଟଙ୍କା ଜରିମାନା ଆଦାୟ କରାଯାଇଛି।
ସୂଚନାଯୋଗ୍ୟ, କଟକସ୍ଥିତ ଟ୍ରପିକାଲ ଏଗ୍ରୋ ସିଷ୍ଟମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରୁ ଟ୍ରକ ନଂ. ଓଡି ୦୨ ବିଏଫ୍‌ ୫୭୦୨ରେ କୀଟନାଶକ ଔଷଧ ବୋଝେଇ ହୋଇ ଭବାନୀପାଟଣା ଆସିଥିଲା। କାଗଜପତ୍ର ଅନୁଯାୟୀ ଟ୍ରକଟି ସଞ୍ଜୀବନୀ ଟ୍ରେଡର୍ସରେ ଅନଲୋଡ ହେବାର ଥିଲା। କିନ୍ତୁ ସେଠାରେ ଅନଲୋଡ ନ ହୋଇ ଭବାନୀପାଟଣା ସହରସ୍ଥିତ ଇଲାଇଟ୍‌ ଗ୍ରୁପ୍‌ରେ ଅନଲୋଡ ହୋଇଥିଲା। ଟ୍ରକରେ ୯୦୮ ଟି ପେଟିରେ କୀଟନାଶକ ଔଷଧ ଥିବା ବେଳେ ଏହା ଆନୁମାନିକ ମୂଲ୍ୟ ୧୮ ଲକ୍ଷ ୧୪ ହଜାର ୬୧୨ ଟଙ୍କା ଆକଳନ କରାଯାଇଥିଲା। ଏହି ସାମଗ୍ରୀର ଜିଏସ୍‌ଟି ବିଲ୍‌ ନଥିବା ବେଳେ ଇଲାଇଟ ଗ୍ରୁପ ନାମରେ କୌଣସି ବିଲ୍‌ କିମ୍ବା ୱେବିଲ୍‌ ନଥିଲା। ଖବର ପାଇ ବାଣିଜ୍ୟକର ବିଭାଗ ସିଟି ଜିଏସ୍‌ଟି ଡେପୁଟି କମିଶନର ଏନ୍‌ଫୋର୍ସମେଣ୍ଟ ଅଫିସର ତପନ ପାଢୀଙ୍କ ନେତୃତ୍ୱରେ ସହକାରୀ ସିଟି ଜିଏସଟି ଅଧିକାରୀ ନିହାର ରଞ୍ଜନ ସେଠ, ମନ ମାଝି ଓ ମମତା ପୁଝାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକଟିକୁ ବାଣିଜ୍ୟକର କାର୍ଯ୍ୟାଳୟକୁ ଆଣି କାଗଜପତ୍ର ଯାଞ୍ଚ କରାଯାଇଥିଲା। ଠକେଇ ହହୋଇଥିବା ଯୋଗୁ ଜରିମାନା ଆଦାୟ କରାଯାଇଛି।