Categories: ବାଣିଜ୍ୟ

୧.୦୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୦୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଲଗାତର ଦ୍ୱିତୀୟ ମାସ ଲାଗି ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଥିବା ଜଣାପଡିଛି। ଗତ ବର୍ଷ ନଭେମ୍ବର ତୁଳନାରେ ଚଳିତ ବର୍ଷ ସମାନ ସମୟରେ ପରୋକ୍ଷ ଟିକସ ଆଦାୟ ୧.୪% ଉର୍ଦ୍ଧ୍ୱରେ ରହିଛି। ଓଡ଼ିଶା କଥା ବିଚାରକୁ ନେଲେ ଜିଏସ୍‌ଟି ସଂଗ୍ରହ ପ୍ରାୟ ୮% ବଢିଛି। ଗତ ବର୍ଷ ନଭେମ୍ବରରେ ରାଜ୍ୟରୁ ୨,୩୪୭ କୋଟି ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଏହା ଚଳିତ ବର୍ଷ ସମାନ ସମୟରେ ଏହା ୨,୫୨୮ କୋଟି ଟଙ୍କାକୁ ବୃଦ୍ଧି ଘଟିଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ରହିଛି।
ସଂଗ୍ରହ ହୋଇଥିବା ମୋଟ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଏସ୍‌ଟି) ୧୯,୧୮୯ କୋଟି, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ୨୫,୫୪୦ କୋଟି ଏବଂ ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି)ର ଅଂଶ ୫୧,୯୯୨ କୋଟି ଟଙ୍କା ରହିଛି। ଆଇଜିଏସ୍‌ଟି ମଧ୍ୟରେ ସାମଗ୍ରୀ ଆମଦାନୀ ଟିକସ ବାବଦ ୨୨,୦୭୮ କୋଟି ଏବଂ ୮୨୪୨ କୋଟି ଟଙ୍କାର ସେସ୍‌ ରହିଛି। ନଭେମ୍ବର ୩୦ ସୁଦ୍ଧା ଜିଏସ୍‌ଟିଆର୍‌ ୩ବି ରିଟର୍ନ ଫାଇଲ ସଂଖ୍ୟା ବୃଦ୍ଧି ପାଇ ୮୦ ଲକ୍ଷ ଛୁଇଁଛି। ସାମଗ୍ରୀ ଆମଦାନୀରୁ ଟିକସ ଜନିତ ରାଜସ୍ବ ୪.୯% ବଢିଛି। ସେହିଭଳି ଘରୋଇ ଟ୍ରାଞ୍ଜାକଶନ( ସେବା ଆମଦାନୀ ସହ) ଟିକସ ଆଦାୟ ୦.୫% ବୃଦ୍ଧି ପାଇଛି।
କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ପ୍ରାୟ ୮ ମାସ ଟିକସ ସଂଗ୍ରହ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ହେଲେ ଅକ୍ଟୋବରରେ ପ୍ରଥମଥର ଲାଗି ଟିକସ ଆଦାୟ ଲକ୍ଷେ କୋଟି ଟଙ୍କା ଟପି ୧.୦୫ ଲକ୍ଷ କୋଟି ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ରାଜ୍ୟରେ ଜିଏସ୍‌ଟି ଆଦାୟ ପ୍ରଭାବିତ ସ୍ଥିତିରେ ରହିଛି। ଟିକସ ସଂଗ୍ରହ ସମ୍ପୂର୍ଣ୍ଣ ଟ୍ରାକକୁ ଫେରିବା ଲାଗି ସମୟ ଲାଗିବ। ଅର୍ଥ ବ୍ୟବସ୍ଥାକୁ ସରକାର ଧୀରେ ଧୀରେ ଖୋଲୁଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକକୁ ଫେରୁଛି। ସବୁ କିଛି ଠିକ୍‌ ସ୍ଥିତିକୁ ଫେରିବା ଯାଏ ଟିକସ ସଂଗ୍ରହ ଉନ୍ନତ ହେବ ବୋଲି ସରକାର ଆଶାବାଦୀ ରହିଛନ୍ତି।

Share