ନୂଆଦିଲ୍ଲୀ, ୨୮।୧୦(ଆଇଏଏନ୍ଏସ୍): ଦେଶର ବ୍ୟବସାୟୀ, ଖୁଚୁରା ବିକ୍ରେତା ଏବଂ ସେବା ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଖବର। ବିକ୍ରି ପରବର୍ତ୍ତୀ ରିହାତି (ପୋଷ୍ଟ ସେଲ୍ ଡିସ୍କାଉଣ୍ଟ) ସରଳୀକରଣ ଏବଂ ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକଚର କ୍ଷେତ୍ରରେ ତୁରନ୍ତ ରିଫଣ୍ଡ ଯୋଗାଇଦେବା ପାଇଁ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଅକ୍ଟୋବର ୨୬ରେ ନୂତନ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରଥମ ପର୍ଯ୍ୟାୟ ଜିଏସ୍ଟି ସଂସ୍କାର ଆସନ୍ତା ନଭେମ୍ବର ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ।
ଗତ ଅକ୍ଟୋବର ୮ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୭ତମ ଜିଏସ୍ଟି କାଉନ୍ସିଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୃହୀତ ହୋଇଥିଲା, ଯାହାକି ଆସନ୍ତା ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ସେହି ଜିଏସ୍ଟି ସଂସ୍କାରଗୁଡ଼ିକ ମଧ୍ୟରେ ଡିଷ୍ଟ୍ରିବ୍ୟୁଟର ଓ ରିଟେଲରମାନଙ୍କ ପାଇଁ କ୍ରେଡିଟ୍ ନୋଟ୍ ନିୟମ ସରଳ କରାଯାଇଛି, ଯାହାଦ୍ୱାରା ସେମାନେ ସହଜରେ ବିକ୍ରି ପରବର୍ତ୍ତୀ ଡିସ୍କାଉଣ୍ଟ ପରିଚାଳନା କରିପାରିବେ। ପୂର୍ବରୁ କୌଣସି ସାମଗ୍ରୀ ବିକ୍ରି ହୋଇସାରିବା ପରେ ଯଦି କମ୍ପାନି କିମ୍ବା ଡିଷ୍ଟ୍ରିବ୍ୟୁଟର ରିହାତି ଦେଉଥିଲେ, ତେବେ ତାହାକୁ ଜିଏସ୍ଟି ହିସାବରେ ସଜାଡ଼ିବାରେ ବ୍ୟବସାୟୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ନୂତନ ଜିଏସ୍ଟି ନିୟମ ଅନୁଯାୟୀ, ଏହି ପ୍ରକ୍ରିୟାକୁ ସହଜ କରାଯାଇଛି। ଏବେ ଡିଷ୍ଟ୍ରିବ୍ୟୁଟର ଏବଂ ଖୁଚୁରା ବ୍ୟବସାୟୀମାନେ ‘କ୍ରେଡିଟ ନୋଟ୍’ ଜରିଆରେ କୌଣସି ଜଟିଳତା ବିନା ଖୁବ ସହଜରେ ଏହି ବିକ୍ରି ପରବର୍ତ୍ତୀ ରିହାତିଗୁଡ଼ିକୁ ପରିଚାଳନା ଏବଂ ହିସାବ ନିକାଶ କରିପାରିବେ।
ସେହିପରି ଇନ୍ଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚରର ସମ୍ମୁଖୀନ ହେଉଥିବା ବ୍ୟବସାୟୀମାନେ ରିସ୍କ ଯାଞ୍ଚ ଆଧାରରେ ୯୦ ପ୍ରତିଶତ ପ୍ରୋଭିଜନାଲ ରିଫଣ୍ଡ ଆଗୁଆ ପାଇପାରିବେ। ସୂଚନାଥାଉ କି, ଯେତେବେଳେ ଜଣେ ବ୍ୟବସାୟୀ ବା ଉତ୍ପାଦକ କିଣୁଥିବା କଞ୍ଚାମାଲ ଉପରେ ଅଧିକ ହାରରେ ଜିଏସ୍ଟି (ଯଥା: ୧୮%) ଦେଉଥାନ୍ତି, ମାତ୍ର ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକ୍ରି ଉପରେ କମ୍ ହାରରେ ଜିଏସ୍ଟି (ଯଥା: ୫%) ଆଦାୟ ହୁଏ, ସେହି ସ୍ଥିତିକୁ ଇନ୍ଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକଚର କୁହାଯାଏ। ଜୋତା ପ୍ରସ୍ତୁତି ପାଇଁ ୧୮% ଜିଏସ୍ଟିରେ ଚମଡ଼ା କିଣି ୫% ଜିଏସ୍ଟିରେ ଜୋତା ବିକ୍ରି କରିବା ହେଉଛି ଏହାର ଉଦାହରଣ। ଫଳରେ ବ୍ୟବସାୟୀଙ୍କର ବଳକା ଟ୍ୟାକ୍ସ ଟଙ୍କା ସରକାରଙ୍କ ପାଖରେ ଜମା ହୋଇ ରହିଯାଏ ଏବଂ କାର୍ଯ୍ୟକାରୀ ପୁଞ୍ଜି ଫସିଯାଏ। ପୂର୍ବରୁ ଏହି ବଳକା ଟ୍ୟାକ୍ସ ଟଙ୍କା ଫେରସ୍ତ ପାଇବା ପାଇଁ ବହୁ ସମୟ ଲାଗୁଥିଲା। ମାତ୍ର ନୂତନ ଜିଏସ୍ଟି ସଂସ୍କାର ଅନୁଯାୟୀ, ବ୍ୟବସାୟୀମାନେ ରିଫଣ୍ଡ୍ ପାଇଁ ଆବେଦନ କଲେ ରିସ୍କ ଯାଞ୍ଚ ଆଧାରରେ ସେମାନଙ୍କର ପ୍ରାପ୍ୟର ୯୦ ପ୍ରତିଶତ ଟଙ୍କା ତୁରନ୍ତ (ଆଗୁଆ ରିଫଣ୍ଡ୍ ଭାବେ) ପ୍ରଦାନ କରାଯିବ। ଫଳରେ ବ୍ୟବସାୟୀଙ୍କ ହାତକୁ ତୁରନ୍ତ ଅର୍ଥ ଫେରିଆସିବ ଏବଂ ନଗଦ କାରବାର ବଜାୟ ରହିବ।
ଅନ୍ୟ ଜିଏସ୍ଟି ସଂସ୍କାର ମଧ୍ୟରେ କୋରିୟର୍ ଓ ଡାକ ମାଧ୍ୟମରେ କାରବାର କରୁଥିବା କ୍ଷୁଦ୍ର ରପ୍ତାନିକାରୀଙ୍କ ପାଇଁ ପୂର୍ବରୁ ଥିବା ୧,୦୦୦ ଟଙ୍କାର ସର୍ବନିମ୍ନ ରିଫଣ୍ଡ୍ ସୀମାକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବାବେଳେ ମଧ୍ୟସ୍ଥ ସେବାଗୁଡ଼ିକର ‘ପ୍ଲେସ୍ ଅଫ୍ ସପ୍ଲାଇ’ ମଧ୍ୟସ୍ଥଙ୍କ ପରିବର୍ତ୍ତେ ସେବା ଗ୍ରହଣକାରୀଙ୍କ ସ୍ଥାନ ଅନୁଯାୟୀ ଗଣନା ହେବ, ଯାହା ଭାରତୀୟ ସେବା ରପ୍ତାନିକାରୀଙ୍କୁ ଅଧିକ ସ୍ପଷ୍ଟତା ପ୍ରଦାନ କରିବ।
ଆଇନଗତ ଓ ପ୍ରକ୍ରିୟାଗତ ସଂଶୋଧନ ଆବଶ୍ୟକ କରୁଥିବା ବୃହତ୍ ଜିଏସ୍ଟି ସଂସ୍କାରଗୁଡ଼ିକୁ ଏପ୍ରିଲ ୧, ୨୦୨୭ ସୁଦ୍ଧା ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଅଧୀନରେ ଗିରଫଦାରି ବ୍ୟବସ୍ଥାକୁ କୋହଳ କରାଯିବ (ତେବେ ପୂର୍ବରୁ ହୋଇସାରିଥିବା ଗିରଫଦାରି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ)। ଏହାବ୍ୟତୀତ ଶୋ-କଜ୍ ନୋଟିସ ଜାରି କରିବା ପାଇଁ ସର୍ବନିମ୍ନ ୧୦,୦୦୦ ଟଙ୍କାର ସୀମା ଧାର୍ଯ୍ୟ କରାଯିବା ସହ ଇ-ୱେ ବିଲ୍ ନିୟମାବଳୀରେ ଆବଶ୍ୟକ ସୁଧାର ଅଣାଯିବ ଏବଂ ଏହି ସମସ୍ତ ନୂତନ ସ୍ବୟଞ୍ଚାଳିତ ରିଫଣ୍ଡ୍ ସିଷ୍ଟମ କେବଳ ଭବିଷ୍ୟତର ଆବେଦନଗୁଡ଼ିକ ପାଇଁ କାର୍ଯ୍ୟକାରୀ ହେବ।