ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା ପରେ ପୋଡ଼ିଦେବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ମୋହନା ଥାନା ମେରାମା ଗାଁର ରାମ ଚନ୍ଦ୍ର ମଲିକ ( ୪୧)। ଗାଁରେ ଜଣେ ମହିଳା ଓ ଦୁଇ ମାସର ଶିଶୁର ମୃତ୍ୟୁ ପରେ ରାମଙ୍କୁ ଗୁଣି ଗାରେଡ଼ି ସନ୍ଦେହ କରାଯାଉଥିବା ସୂଚନା ମିଳିଛି। ଏହାକୁ ନେଇ ଗାଁରେ ବାରମ୍ବାର ବୈଠକ ହୋଇଥିବା ବେଳେ ଶେଷରେ ହତ୍ୟା କରାଯାଇଛି ।

ଘଟଣାକୁ ନେଇ ମୋହନା ପୋଲିସ ମେରାମା ଗାଁ ଗାଁଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ପାହାଡ଼ ଯାଇ ତଦନ୍ତ କରି ଫେରିଛି । ପାହାଡ଼ ଉପରେ ଏକ କୁଡ଼ିଆ ଘରେ ରହୁଥିଲେ ରାମ ମଲିକ । ସେଠାରେ ରହି ଚେରମୂଳି ଦ୍ୱାରା ଲୋକଙ୍କ ଚିକିତ୍ସା କରୁଥିଲେ ।କିଛିଦିନ ତଳେ ଗାଁର ଜଣେ ମହିଳା ଓ ଦୁଇ ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ପଛରେ ଗୁଣିଗାରେଡ଼ି ଥିବା ସନ୍ଦେହ କରି ରାମଙ୍କୁ ଦାୟୀ କରୁଥିବା ଅଭିଯୋଗ ଉଠିଥିଲା। ଏହାକୁ ନେଇ ଗାଁରେ ବୈଠକ ମଧ୍ୟ ହୋଇଥିଲା । ଏହାରି ମଧ୍ୟରେ ରାମଙ୍କୁ ତାଙ୍କ କୁଡ଼ିଆ ଘର ନିକଟରେ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ମୃତଦେହକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ଆସିଛି ।

ଘଟଣା ପଛରେ ଗାଁ ବୈଠକର ନିଷ୍ପତ୍ତି ରହିଛି କି, ନା ଅନ୍ୟ କୌଣସି କାରଣ ତାହା ଏବେ ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ । ଅନ୍ୟପଟେ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

 

Dharitri – Odisha’s No.1 Odia Daily

Share