ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ ଭାରତୀୟ ପୁଞ୍ଜିବଜାର ଅସ୍ବାଭାବିକ ସ୍ଥିତିରେ ରହିଛି। ଅସ୍ଥିର ବଜାରକୁ ଦେଖି କେବଳ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ନୁହେଁ, ଘରୋଇ ନିବେଶକାରୀମାନେ ଅର୍ଥ ଉଠାଇବାରେ ଲାଗିଛନ୍ତି। ଅନେକ କାରଣ ସହିତ ଅନ୍ୟତମ କାରଣ ଭାବେ ନିବେଶକମାନେ ଆମେରିକୀୟ ଡଲାର ଆକାରରେ ଅର୍ଥ ଉଠାଣ କରୁଥିବାରୁ ଭାରତରେ ସେହି ବିଦେଶୀ ମୁଦ୍ରା କମିବାରେ ଲାଗିଛି।
ଭାରତୀୟ ମୁଦ୍ରା କାହିଁକି ଦୁର୍ବଳ ହେଉଛି ତାହାକୁ ଖୋଜି ବାହାର କରିବାରେ କାହାରି ଇଚ୍ଛା ଥିବାଭଳି ମନେହେଉ ନାହିଁ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ମୁଖ୍ୟ ଦାୟିତ୍ୱ ହେବା କଥା ଦେଶର ମୁଦ୍ରାର ମୂଲ୍ୟ ଜଗିବା। ମୂଲ୍ୟ ଯଦି ହ୍ରାସ ହେଉଛି ତାହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ଭାରତର ଅର୍ଥନୀତି ଏବେ ସେହି ସ୍ଥିତିର ସମ୍ମୁଖୀନ ହେଉଛି। ଦେଶରେ ଘଟୁଥିବା ଅର୍ଥନୈତିକ ଅସ୍ଥିରତାର ପ୍ରଭାବ ସାଧାରଣ ନାଗରିକର ଜୀବନରେ ଅନୁଭୂତ ହେବାକୁ ଆରମ୍ଭ କଲାଣି। ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପଛରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାରଣ ରହିଛି। ତେବେ ଏହିସବୁ କାରଣ ମଧ୍ୟରୁ ଗୋଟିଏ ପ୍ରମୁଖ ସମସ୍ୟାକୁ କେହି ଇଙ୍ଗିତ କରୁନାହାନ୍ତି। ସମସ୍ତେ କେବଳ ଅଭିବୃଦ୍ଧି ଅଙ୍କକୁ ପ୍ରଦର୍ଶନ କରି ପ୍ରଚାର କରୁଛନ୍ତି। ଅନ୍ୟପଟେ କହିଲେ ପୂର୍ବରୁ ଯେଭଳି ମୁୁକ୍ତ ଭାବେ ମୁଦ୍ରା କାରବାର ହେଉଥିଲା, ବର୍ତ୍ତମାନର ଆର୍ଥିକ ସ୍ଥିତି ଦେଖିଲେ କଟକଣା ଲାଗୁ କରିବାକୁ ଶୀର୍ଷ ନୀତି ନିର୍ଦ୍ଧାରକ ସଂସ୍ଥା ପଦକ୍ଷେପ ନେଉଥିବା କହୁଛନ୍ତି। ଯଦି କୌଣସି କଟକଣା ଜାରି କରାଯାଏ, ତେବେ ଭବିଷ୍ୟତରେ କୌଣସି ବିଦେଶୀ ପୁଞ୍ଜିନିବେଶକ ଭାରତୀୟ ବଜାରରେ ଅର୍ଥ ଲଗାଇବାକୁ ଇଚ୍ଛା କରିବେ ନାହିଁ। କଟକଣା ମାତ୍ର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିପାରେ। କିନ୍ତୁ ଦୀର୍ଘମିଆଦୀ କ୍ଷତି ନିଶ୍ଚିତ ଭାବେ ପହଞ୍ଚତ୍ବ। ଏଭଳି ହଲପ୍ ଦେଇ କହିବାର ଅର୍ଥ ହେଲା ଭାରତରେ ନୀତି ନିର୍ଦ୍ଧାରକମାନେ ଦେଶର ଅଭିବୃଦ୍ଧି ଅଙ୍କକୁ ବଢ଼ାଇ କରି ଦେଖାଇବାରେ ବ୍ୟସ୍ତ। ସେମାନଙ୍କର ଏଭଳି ମାନସିକତା ଉପୁଜିବା ପଛରେ ଭାରତୀୟ ଅର୍ଥ ବ୍ୟବସ୍ଥା ରାଜନୈତିକ ଚାପଠାରୁ ଅଲଗା ହୋଇପାରୁ ନାହିଁ। ବିଗତ ଦିନରେ ବିମୁଦ୍ରୀକରଣଠାରୁ ଆରମ୍ଭ କରି ଯେତେ ବଡ଼ ପଦକ୍ଷେପ ନିଆଯାଇଛି, ସେଥିରେ ରାଜନୈତିକ ହସ୍ତକ୍ଷେପ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏକ ସ୍ବାଧୀନ ନୀତି ନିର୍ଦ୍ଧାରଣ ବ୍ୟବସ୍ଥା ଗଢ଼ିଉଠୁ ନ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ମାନ୍ଦାବସ୍ଥା ଭଳି ସ୍ଥିତି ଉପୁଜିଲା ବେଳକୁ ଏଠାରେ ସୁଧାର ଆସିପାରୁ ନାହିଁ।
ବର୍ତ୍ତମାନ ଡଲାର ତୁଳନାରେ ଭାରତୀୟ ମୁଦ୍ରା କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ଆର୍ବିଆଇ ସହ ଅନ୍ୟାନ୍ୟ ଆର୍ଥିକ ନୀତି ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରୁଥିବା ଥିଙ୍କ୍ଟ୍ୟାଙ୍କ୍କୁ ବ୍ୟାଙ୍କିଙ୍ଗ୍, ମୁଦ୍ରା କାରବାର ଓ ବଜାର ନିୟନ୍ତ୍ରଣ ଲାଗି ସ୍ବାଧୀନ ଭାବେ ଦାୟିତ୍ୱ ଦିଆଯାଇପାରିଲେ ହୁଏତ ସ୍ଥିତିରେ ଉନ୍ନତି ଆସିପାରନ୍ତା। କିନ୍ତୁ ସେହି ବିଶ୍ୱାସ ଓ ଭରସା ଦେବାର ଦାୟିତ୍ୱ ରାଜନୈତିକ ବ୍ୟବସ୍ଥା କେବେ ଅର୍ପଣ କରିବ ତାହା କେହି ଜାଣି ନାହାନ୍ତି। ଏଠାରେ ମନେରଖିବାକୁ ହେବ ଯେ, ପାଶ୍ଚାତ୍ୟ ଅର୍ଥନୀତି ବିଭିନ୍ନ ଐତିହାସିକ କାରଣରୁ ସୁସ୍ଥ ସବଳ ରହିଆସିଥିଲା। ଏବେ ସେଗୁଡ଼ିକରେ ବି ଫାଟ ଦିଶିଲାଣି। ଅନ୍ୟପଟେ ଭାରତ ଭଳି ଏକ ଦୁର୍ବଳ ଅର୍ଥନୀତିକୁ ଜଗିରଖିବା ହେବା କଥା ରାଜନୈତିକ ନେତୃବୃନ୍ଦଙ୍କ ପ୍ରମୁଖ ଦାୟିତ୍ୱ। ଦୁଃଖର ବିଷୟ ପ୍ରଚାର ପ୍ରସାରକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଚାହିଦା ଅନୁଯାୟୀ ସୁରକ୍ଷା ମିଳିପାରୁ ନାହିଁ।