ତରଭୁଜ, ପିଜୁଳି ଚାଷ କରିଛି ସ୍ବାବଲମ୍ବୀ

ରାୟଗଡା ଅଫିସ,୩ା୪: ଚାଷ କରି ଲାଭବାନ ହେଲା ବେଳେ ଖୁସି ହୁଏ, ପୁଣି କେବେ କ୍ଷତି ସହିଲେ ଏଥିରେ ଅବଶୋଷ ନ ଥାଏ ବୋଲି କହିଛନ୍ତି ରାୟଗଡ଼ାର ଜଣେ ଚାଷୀ। ଚାଷ କରି ସଫଳ ହେବା ସହ ଅନ୍ୟକୁ ରୋଜଗାର ଦେଇ ବେଶ୍‌ ଖୁସି ଅଛନ୍ତି କାଲା ପୋଷି ବାବୁ (୪୭)। ଫୁଲଗଛ ବ୍ୟବସାୟୀରୁ ସେ ଏବେ ଜଣେ ସଫଳ ଚାଷୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ରାଜ୍ୟସ୍ତରରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି।
କାଲା ପୋଷି ବାବୁ ରାୟଗଡା ସହର ଖଲିଗୁଡ଼ା ନିକଟରେ ୨ ହେକ୍ଟର ଜାଗାରେ ପିଜୁଳି ଏବଂ ୨ ହେକ୍ଟର ଜାଗାରେ ତରଭୁଜ ଚାଷ କରିଛନ୍ତି। ମୋଟ ୪ ହେକ୍ଟର ଜମିରେ ୧୫ ଲକ୍ଷ ବ୍ୟୟରେ ସେ ଚାଷ କରିଥିବା ବେଳେ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ ହେଉଥିବା କାଲାପୋଷି ବାବୁ କହିଛନ୍ତି । ପିଲାବେଳେ ବାପାଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିଲି। ତାଙ୍କଠାରୁ ଚାଷ କାର୍ଯ୍ୟ ଶିଖିଥିଲି। ରାୟଗଡା କୋର୍ଟ ସମୁଖରେ ଫୁଲଗଛ ଚାରା ବିକ୍ରି କରିବା ସମୟରେ ଚାଷ କରିବାର ଇଚ୍ଛା ହୋଇଥିଲା। ସେବେଠାରୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ହେବ ଚାଷ କାର୍ଯ୍ୟ କରୁଛନ୍ତି ବୋଲି କାଲାପୋଷି ବାକୁ କହିଛନ୍ତି। ଉତ୍ପାଦନ ଦ୍ରବ୍ୟକୁ ପ୍ରଥମେ ରାୟଗଡା ବଜାରରେ ବିକ୍ରି କରୁଥିଲେ। ପରେ ରାୟଗଡାର ନିକଟବର୍ତ୍ତୀ ଅଞ୍ଚଳ ଏବଂ ବର୍ତ୍ତମାନ ଉତ୍ପାଦିତ ତରଭୁଜ ଆନ୍ଧ୍ରପ୍ରଦେଶକୁ ହୋଲ୍‌ସେଲ୍‌ରେ ପଠାଉଛନ୍ତି। ତରଭୁଜ କେଜି ୧୨ ଟଙ୍କା ଏବଂ ପିଜୁଳି କେଜି ପ୍ରତି ୨୫ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଟନରୁ ଉର୍ଦ୍ଧ୍ୱ ଲେଖାଏ ପିଜୁଳି ଏବଂ ତରଭୁଜ ଉତ୍ପାଦନ ହେଉଛି। ଆଗକୁ ଆହୁରି ଉତ୍ପାଦନ କରିବାକୁ ସେ ଆଶା ରଖିଛନ୍ତି । କାଲାପୋଷି ବାବୁ ଜମି ଲିଜରେ ନେଇ ଚାଷ କରୁଛନ୍ତି। ପୂର୍ବରୁ ମରିଚ, ଟମାଟୋ ଋତୁ ଅନୁଯାୟୀ ଅନେକ ପରିବା ଚାଷ କରିଛନ୍ତି। ଚାଷ କରି ସେ ସ୍ବାବଲମ୍ବୀ ହେବା ସହ ଅନ୍ୟ ୨୦ ଜଣଙ୍କୁ ପ୍ରତିଦିନ ରୋଜଗାର ଦେଉଛନ୍ତି। ସରକାରୀ ସ୍ତରରେ ସୁବିଧା ମିଳିଲେ ଆଗକୁ ଆହୁରି ଚାଷ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ଉଦ୍ୟାନ ବିଭଗ ପକ୍ଷରୁ ତାଙ୍କୁ ଡ୍ରିପିଙ୍ଗ ବ୍ୟବସ୍ଥା ପାଇଁ ସହଯୋଗ କରାଯାଇଛି। ମଞ୍ଜି, ସାର ସୁଲଭ ଦରରେ ମିଳିଲେ ଅଧିକ ସହାୟକ ହୋଇପାରନ୍ତା ବୋଲି ସେ କହିଛନ୍ତି। ଡ୍ରିପିଙ୍ଗ ବ୍ୟବସ୍ଥା ଦ୍ୱାରା ବର୍ଷା ଉପରେ ନିର୍ଭର ନ କରି ଚାଷ କରି ହେବ। ଏହାଦ୍ୱାରା ପାଣିର ଅପଚୟ ନ ହୋଇ ସିଧା ଗଛ ମୂଳରେ ମିଶୁଛି ବୋଲି କାଲାପୋଷୀ ବାବୁ କହିଛନ୍ତି l