ନୂଆ ସାଇବର ସଙ୍କଟ ନେଇ ବଢ଼ିଲା ଆଶଙ୍କା: ସତର୍କ କରାଇଲେ ବିଶେଷଜ୍ଞ

ୱାଶିଂଟନ, ୨୪ା୧୦:ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅଭିବୃଦ୍ଧି ସାରା ବିଶ୍ୱର ସାଇବର ସୁରକ୍ଷା ପ୍ରତି ଏକ ନୂଆ ବିପଦ ସୃଷ୍ଟି କରିଛି। ଏଆଇ ଟେକ୍ନୋଲୋଜି ବ୍ୟବହାର କରି ସଫ୍ଟୱେର୍‌ ଗୁଡ଼ିକରେ ଲୁଚି ରହିଥିବା ଅନେକ ନୂଆ ନୂଆ ଗୁରୁତର ତ୍ରୁଟି ଚିହ୍ନଟ କରାଯାଉଛି। ଚଳିତ ସପ୍ତାହରେ ବିଶ୍ୱର ବିଭିନ୍ନ ସରକାରୀ ୱେବ୍‌ସାଇଟଗୁଡ଼ିକ ଡାଉନ ହେବା ପଛରେ ଏହି ଏଆଇ-ଆବିଷ୍କୃତ ତ୍ରୁଟିଗୁଡ଼ିକ ମୁଖ୍ୟ କାରଣ ଥିଲା। ଆଗାମୀ ଦିନରେ ଏହାଠାରୁ ମଧ୍ୟ ବଡ଼ ଧରଣର ସାଇବର ବିପର୍ଯ୍ୟୟ ଓ ବ୍ୟାପକ ସାଇବର ଆକ୍ରମଣ ହେବାର ସମ୍ପୂର୍ଣ୍ଣ ଆଶଙ୍କା ରହିଛି ବୋଲି ବିଶ୍ୱର ପ୍ରମୁଖ ସାଇବର ସୁରକ୍ଷା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ମାସାଚୁସେଟ୍ସର ପ୍ରସିଦ୍ଧ ସାଇବର ସୁରକ୍ଷା ସଂସ୍ଥା ‘ଭଲ୍ନଚେକ୍‌’ର ଗବେଷଣା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ୱେବ୍‌ସାଇଟ ଓ ସଫ୍ଟୱେରରେ ଡିଜିଟାଲ ତ୍ରୁଟି ମିଳିବା ସଂଖ୍ୟା ୨ଗୁଣ ହୋଇଯାଇଛି। ଡିଜିଟାଲ ଭିତ୍ତିଭୂମି ସଂସ୍ଥା ‘କ୍ଲାଉଡଫ୍ଲେୟାର’ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମାଥ୍ୟୁ ପ୍ରିନ୍ସ କହିଛନ୍ତି, ଇଣ୍ଟରନେଟର ଅତି ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେରଗୁଡ଼ିକରେ ଏଭଳି ଅନେକ ଗୁପ୍ତ ତ୍ରୁଟି ରହିଛି, ଯାହା ଏବେ ଏଆଇ ସାହାଯ୍ୟରେ ସାମ୍ନାକୁ ଆସୁଛି। ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଇଣ୍ଟରନେଟ ଦୁନିଆରେ ଏକ ବଡ଼ ସଙ୍କଟ ଦେଖାଦେବା ଭଳି ପରିସ୍ଥିତି ଉପୁଜିବ ବୋଲି ସେ ପ୍ରକାଶ କରିଛନ୍ତି।
ଚଳିତ ସପ୍ତାହରେ ପ୍ରଥମେ ‘ପିଏଚ୍‌ପି’ କମ୍ପ୍ୟୁଟର ଭାଷାରେ ତ୍ରୁଟି ମିଳିବା ପରେ ନୋଡ୍‌.ଜେଏସ୍‌, ଷ୍ଟ୍ରିମିଂ ପ୍ରୋଗ୍ରାମ ପ୍ଲେକ୍ସ, ଏଆଇ ଗେଟୱେ ଲାଇଟଏଲଏଲଏମ ଏବଂ ଡେଭଲପମେଣ୍ଟ ପ୍ଲାଟଫର୍ମ ରେଲଓ୍ବେ ଭଳି ବଡ଼ ବଡ଼ ବ୍ୟବସ୍ଥାରେ ମଧ୍ୟ ଦୁର୍ବଳତା ଦେଖାଦେଇଛି। ଏପରିକି ଭାରତୀୟ ସାର୍ଟିଫିକେଟ ଅଥରିଟି ‘ଇ-ମୁଦ୍ରା’ ଏକ ଅତି ଦୁର୍ବଳ ଗୁପ୍ତ କୋଡ ବ୍ୟବହାର କରିଥିବା ଜଣାପଡ଼ିଛି। ଯାହା ସାରା ବିଶ୍ୱର ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ବିପଦ ଭିତରକୁ ଠେଲି ଦେଇଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସହ ଜଡ଼ିତ ସମସ୍ତ ସଂସ୍ଥା ପାଇଁ ଆଗକୁ ବାରମ୍ବାର ‘ଫାୟାର ଡ୍ରିଲ’ ବା ସୁରକ୍ଷା ଯାଞ୍ଚ କରିବାର ଆବଶ୍ୟକତା ପଡ଼ିବ। ପୂର୍ବରୁ ସଫ୍ଟୱେର୍‌ କୋଡରେ ତ୍ରୁଟି ବା ‘ବଗ’ ଖୋଜିବା ଏବଂ ତାହାର ଅପବ୍ୟବହାର କରି ହ୍ୟାକିଂ ଟୁଲ ବା ‘ଏକ୍ସପ୍ଲୋଇଟ’ ତିଆରି କରିବା ପାଇଁ ଅଭିଜ୍ଞ ହ୍ୟାକରମାନଙ୍କୁ ମାସ ମାସ ସମୟ ଲାଗୁଥିଲା। ମାତ୍ର ଏଆଇ ଆସିବା ପରେ ଏହି ସମୟ ସୀମା ସମ୍ପୂର୍ଣ୍ଣ ବଦଳି ଯାଇଛି। ଏଆଇ ମଡେଲଗୁଡ଼ିକ ଦିନରାତି କୋଡ ଯାଞ୍ଚ କରି କେଇ ଘଣ୍ଟା ମଧ୍ୟରେ ବିପଜ୍ଜନକ ହ୍ୟାକିଂ ଟୁଲ ପ୍ରସ୍ତୁତ କରିଦେଉଛନ୍ତି।

 

Dharitri – Odisha’s No.1 Odia Daily

 

Share