ଭାସୁଛି ଚୋରା ମଦ, ପୋଲିସ ନୀରବ

ଢେଙ୍କାନାଳ ଅଫିସ, ୨୨।୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଣ୍ଡୁଆ ଫାଣ୍ଡି ଅଧୀନ ପାରିମାଳ ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢ଼ିବାରେ ଲାଗିଛି। ଏହାଦ୍ୱାରା ଅଞ୍ଚଳବାସୀ ପ୍ରଭାବିତ ହେଉଛନ୍ତି। ସ୍ଥାନୀୟ ପୋଲିସର ଦୃଷ୍ଟି ଆକର୍ଷଣ କଲେ
ଅଭିଯୋଗକାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ଏପରି କି ପଞ୍ଚାୟତର ଜନପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନିତ କରାଯାଉଛି। ଏହାର ପ୍ରତିବାଦରେ ସୋମବାର ଅପରାହ୍ନରେ ପାରିମାଳ ଅଞ୍ଚଳବାସୀ ଏସ୍‌ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ଫାଣ୍ଡି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି। ଏହା ନ ହେଲେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ପାରିମାଳ ଅଞ୍ଚଳରେ ପୋଲିସ ଜାଣତରେ ଚୋରା ଦେଶୀ ମଦ କାରବାର ହେଉଛି। ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି ଯୁବପିଢ଼ି ଏବଂ ନିମ୍ନ ମଧ୍ୟବିତ୍ତ ପରିବାର। ଅଞ୍ଚଳରେ ନିଶାଡ଼ି ଉତ୍ପାତ କରୁଥିବାବେଳେ ଅଶାନ୍ତି, ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି। ଏ ନେଇ ଫାଣ୍ଡିର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀଙ୍କୁ ପୋଲିସ ପାଲଟା ଗାଳିଗୁଲଜ କରୁଛି। ଥାନା, ଫାଣ୍ଡିକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ସମ୍ମାନ ପ୍ରଦର୍ଶନ କରିବାକୁ କଡ଼ା ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ଏସ୍‌ପି ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ସୁଲୋଚନା ତରେଇ, ସତ୍ୟାନନ୍ଦ ଦାସ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।